ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ରାହୁଲ ଗାନ୍ଧୀଙ୍କ କଟାକ୍ଷ । କହିଲେ, ପ୍ରଧାନମନ୍ତ୍ରୀ ଏକମାତ୍ର ମଣିଷ ଯାହାଙ୍କର ସିଧାସଳଖ ପରମାତ୍ମାଙ୍କ ସହ ସଂଯୋଗ ରହିଛି

113

କନକ ବ୍ୟୁରୋ : ଦେଶରେ ୭ ପର୍ଯ୍ୟାୟ ମଧ୍ୟରୁ ୬ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ବାକିଥିବା ଗୋଟିଏ ପର୍ଯ୍ୟାୟ ମତଦାନ ପୂର୍ବରୁ ରାଜନୈତିକ ବୟାନବାଜୀ ଜୋର ଧରିଛି । ପ୍ରଧାନମନ୍ତ୍ରୀ କିଛିଦିନ ତଳେ କହିଥିଲେ କି ତାଙ୍କୁ ପରମାତ୍ମା ସିଧାସଳଖ ଦେଶର ସେବା କରିବା ପାଇଁ ପଠାଇଛନ୍ତି । ଏହାକୁ ନେଇ ରାହୁଲ ଗାନ୍ଧୀ ଆଜି ଜୋରଦାର କଟାକ୍ଷ କରିଛନ୍ତି । ହିମାଚଳପ୍ରଦେଶର ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ ରାହୁଲ ଗାନ୍ଧୀ କହିଛନ୍ତି କି, ପତ୍ରକାରମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଶର ସମସ୍ୟା ବାବଦରେ ପ୍ରଶ୍ନ ପଚାରିବାକୁ ଭୟ କରୁଛନ୍ତି । ଏହାର ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ଗଣମାଧ୍ୟମରେ ଆଇମା କାହାଣୀ ଶୁଣାଉଛନ୍ତି । ଏହାପୂର୍ବରୁ ମଧ୍ୟ ଦିଲ୍ଲୀରେ ଏକ ସଭାରେ ସାମ୍ବାଦିକମାନଙ୍କୁ ସମାନ ଢଙ୍ଗରେ ରାହୁଲ ଗାନ୍ଧୀ ଆକ୍ରମଣ କରିବା ସହ ସେମାନଙ୍କୁ ଚାମଚା ବୋଲି କହିଥିଲେ ।

ରାହୁଲ ଗାନ୍ଧୀ କହିଛନ୍ତି କି, ଆଜିକାଲି ପ୍ରଧାନମନ୍ତ୍ରୀ ୪ ଜଣ ଚାମଚାଙ୍କୁ ଧରି ଇଣ୍ଟରଭ୍ୟୁ କରୁଛନ୍ତି । ଏହାସହ ଏହାପୂର୍ବରୁ ଅନେକ ସାକ୍ଷାତକାର ବାବଦରେ ରାହୁଲ କହିଛନ୍ତି କି, ଦେଶର ସମସ୍ୟାକୁ ଲୁଚାଇବାକୁ ଯାଇ ସାମ୍ବାଦିକମାନେ ପ୍ରଧାନମନ୍ତ୍ରୀଙ୍କୁ ଆମ୍ବ କିଭଳି ଖାଉଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଅନ୍ୟମାନଙ୍କ ଭଳି ବାୟୋଲୋଜିକାଲୀ ଜନ୍ମ ହୋଇ ନାହାଁନ୍ତି, ତାଙ୍କୁ ପରମାତ୍ମା ସିଧାସଳଖ ପଠାଇଛନ୍ତି ବୋଲି କହୁଥିବାର ଶୁଣିବାକୁ ମିଳୁଛି । ଏହାକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ ଏଭଳି ବୟାନ ଦେଉଛନ୍ତି ସେତେବେଳେ ଚାମଚାମାନେ ତାଳିମାରୁଛନ୍ତି ।

ଏହାକୁ ନେଇ ରାହୁଲ କହିଛନ୍ତି କି ଯଦି ପ୍ରଧାନମନ୍ତ୍ରୀଙ୍କର ସିଧାସଳଖ ପରମାତ୍ମା ସହ ସଂଯୋଗ ରହିଛି ତେବେ ତାଙ୍କ ପାଇଁ ସମ୍ବିଧାନର କ’ଣ ଆବଶ୍ୟକତା ରହିଛି ।