କାହିଁକି ରାତି ଅଧରେ ବିକ୍ରି ହେବ ମଦ ? ସରକାରଙ୍କ ରାତି ଅଧିଆ ମଦ ନିୟମକୁ କଂଗ୍ରେସର ବିରୋଧ । ସନ୍ତୋଷ ସିଂହ ସାଲୁଜା କହିଲେ ସରକାରଙ୍କ ଏହା ଦ୍ୱମୁହାଁ ନୀତି

567

କନକ ବ୍ୟୁରୋ: ମଦ ମିଳିବ ରାତି ଅଧରେ । ବିକ୍ଷୋଭ ହେବ ମନ୍ତ୍ରୀଙ୍କ ଘର ଆଗରେ । ଜିରୋ ନାଇଟ ସେଲିବ୍ରେସନ ପାଇଁ ରାତି ଗୋଟାଏ ଯାଏଁ ବାର ଓ ମଦ ଦୋକାନ ଖୋଲା ରହିବାକୁ ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କଟାକ୍ଷ କରି କହିଛନ୍ତି, ସରକାରଙ୍କର ଏହା ଡବଲ ପଲିସି । ଗୋଟିଏ ପଟେ କହୁଛନ୍ତି ମଦ ପିଇ ଗାଡି ଚଳାଇଲେ ବେଲ ନାହିଁ ସିଧା ଜେଲ । ଅନ୍ୟପଟେ ନୂଆବର୍ଷ ପାଇଁ ରାତି ଅଧ ପର୍ଯ୍ୟନ୍ତ ମଦ ଦୋକାନ ଖୋଲୁଛନ୍ତି । ମଦ୍ୟପାନ ଜନିତ ଦୁର୍ଘଟଣା ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ କି ବୋଲି ପ୍ରଶ୍ନ କରିଛନ୍ତି ସାଲୁଜା । ରାଜ୍ୟ ସରକାରଙ୍କ ରାଜସ୍ୱ ଅଭାବ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହା କେବଳ ନୂଆ ବର୍ଷ ସେଲିବ୍ରେସନ ପାଇଁ କହିଛନ୍ତି ଅବକାରୀ ମନ୍ତ୍ରୀ । ଭୁବନେଶ୍ୱର, କଟକ ଓ ପୁରୀରେ ଆଜି ରାତି ଗୋଟାଏ ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ ବୋଲି ଘୋଷଣା କରିଥିଲେ ସରକାର । ଏନେଇ ଅବକାରୀ ବିଭାଗ ଅତିରିକ୍ତ ସଚିବ ଅବକାରୀ କମିସନରଙ୍କୁ ଚିଠି ଲଖି ଜଣାଇଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବାରୁ ଅସନ୍ତୋଷ ଦେଖାଦେଇଛି ।