କେତେ ସତ ପୋଷ୍ଟମର୍ଟମ ରିପୋର୍ଟ ? ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟ ନେଇ ପରିବାର ଲୋକଙ୍କ ଅସନ୍ତୋଷ । ରିପୋର୍ଟରେ କେବଳ ହତ୍ୟା ହୋଇଥିବା ଉଲ୍ଲେଖ

369

କନକ ବ୍ୟୁରୋ: ନବରଙ୍ଗପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପରିବାର ଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ପଢ଼ି ଶୁଣାଇଲା କନ୍ଧମାଳ ପୋଲିସ । ତେବେ ଘଟଣାର ୨୦ ଦିନ ପରେ ପୋଲିସ ରିପୋର୍ଟ ଦେଇଥିଲେ ବି ରିପୋର୍ଟରେ କେବଳ ହତ୍ୟା ଉଲ୍ଲେଖ ଥିବାରୁ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟରେ ଦଷ୍କର୍ମ ନୁହେଁ କେବଳ ତଣ୍ଟି ଚିପି ହତ୍ୟା ହୋଇଥିବା ଉଲ୍ଲେଖ ରହିଛି ଯାହାକୁ ଗ୍ରହଣ କରି ପାରିନାହାନ୍ତି ପୀଡିତାର ପରିବାର ।

ତେବେ ଆସନ୍ତା ୪ ତାରିଖ ସୁଦ୍ଧା ଦୋଷୀଙ୍କୁ ଗିରଫ ନକଲେ କୋଷାଗୁମୁଡା ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି । ପୋତା ହୋଇଥିବା ପୀଡିତାର ମୃତଦେହକୁ ଖୋଳି ଆଉ ଥରେ ପୋଷ୍ଟମର୍ଟମ କରାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି । ଯାହା ଦ୍ୱାରା ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ମୃତ ପୀଡିତାର ପରିବାର ଲୋକେ କହିଛନ୍ତି ।

ତେବେ କୋଷାଗୁମୁଡାର ଏକ ବିଲ ଭିତରୁ ନାବାଳିକାର ମୃତ ଦେହ ଉଦ୍ଧାର ହୋଇଥିଲା । ନାବାଳିକାକୁ ଦୁଷ୍କର୍ମ କରି ଦୁର୍ବୃତ୍ତ ହତ୍ୟା କରିିଥିବା ଅଭିଯୋଗ ହୋଇଥିଲା । ତେବେ ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ଦେବାରେ ବିଳମ୍ବ କରୁଥିବାରୁ କଂଗ୍ରେସ ପ୍ରତିବାଦ କରିଥିଲା । ଘଟଣାକୁ ବିରୋଧ କରି ନବରଙ୍ଗପୁରରେ ନିଆଁ ଜଳିଥିଲା । ପ୍ରତିବାଦ ଏତେ ଭୟଙ୍କର ହୋଇଥିଲା ଯେ କାର ଜାଳିଦେଇଥିଲେ ଆନ୍ଦୋଳନକାରୀ । ତେବେ କଂଗ୍ରେସ ନେତା ପ୍ରଦୀପ ମାଝୀ ଆନ୍ଦୋଳନକାରୀଙ୍କୁ ହିଂସା ଘଟାଇବାକ ଡିଜେଲ, ପେଟ୍ରୋଲ ରେଡ୍ଡି ରଖିବାକୁ ଫୋନରେ ଖୁଲମଖୁଲା କହିଥିଲେ । ଆଉ ଏହା ପରେ ଜୋର ଧରିଥିଲା ରାଜନୀତି ।