ପୁଅର ଆତ୍ମାର ଶାନ୍ତି ପାଇଁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଲେ ବାପା । ପୁଅର ମୃତ୍ୟୁ ପରେ ମିଳିଥିବା ବୀମା ଟଙ୍କାରେ ଗରିବ ଲୋକଙ୍କୁ କମ୍ବଳ ବାଂଟିଲେ, ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ।

133

କନକ ବ୍ୟୁରୋ: ବର୍ଷର ଶେଷ ଦିନରେ ସୁନ୍ଦରଗଡ଼ରୁ ଏମିତି ଏକ ଦୃଶ୍ୟ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ତରଳିଯିବ । ପୁଅକୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଂଜଳି ଦେଉଛନ୍ତି ବାପା । ନିଜ ଆବେଗକୁ ଚାପି ରଖି ଗରିବ ଲୋକଙ୍କ ଦୁଃଖ ଦୂର କରିବାକୁ କରୁଛନ୍ତି ପ୍ରୟାସ । ଅସହ୍ୟ ଶୀତରୁ ଅସହାୟମାନଙ୍କୁ ରକ୍ଷା କରିବା ପାଇଁ ବୀମା ଟଙ୍କାରେ କମ୍ବଳ ଓ ପୋଷାକ ବାଂଟିଛନ୍ତି । ୪ ବର୍ଷ ତଳେ ପୁଅକୁ ହରାଇ ଥିବା ପରିବାରକୁ ଏହା ଦେଇଛି ମାନସିକ ଶାନ୍ତି ।

୨୦୧୬ ମସିହା ଫେବ୍ରୁଆରୀ ୨୧ ତାରିଖ କଟକରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ସୁନ୍ଦରଗଡ଼ ନିବାସୀ ପ୍ରପୁଲ୍ଲ ପଟେଲଙ୍କ ପୁଅ ଅସିତ । ଭୁବନେଶ୍ୱରର ଘରୋଇ ଇଂଜିନିୟରିଂ କଲେଜରେ ଅସିତ ପାଠ ପଢ଼ୁଥିଲେ । ପୁଅକୁ ଇଂଜିନିୟର ଭାବେ ଦେଖିବାକୁ ଚାହୁଁଥିବା ବାପା ମାଆଙ୍କ ଉପରେ ଓଜାଡି ହୋଇ ପଡ଼ିଥିଲା ଦୁଃଖର ପାହାଡ଼ । ଏକ ମାତ୍ର ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲେ ପରିବାର । ବୀମା ଟଙ୍କା ମିଳିବା ପରେ ନିଜ ପଂଚାୟତର ଗରିବ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ।

ସଡ଼କ ଦୁର୍ଘଟଣାରେ ମୃତ ପୁଅ ପାଇଁ ଇନସୁରାନ୍ସ ବାବଦରେ ୭ ଲକ୍ଷ ୧୦ ହଜାର ଟଙ୍କା ପାଇଥିଲେ ପ୍ରଫୁଲ୍ଲ । ପୁଅ ତ ଗଲା, ଟଙ୍କା ନେଇ କରିବେ କ’ଣ, ଏହା ଭାବି ସୁନ୍ଦରଗଡ଼ର ମେଘଡେଗା ପଂଚାୟତର ୧୦ଟି ଗାଁର ୮୮୮ ଜଣ ଗରିବ ଲୋକଙ୍କୁ କମ୍ବଳ ବାଂଟିଛନ୍ତି । କେବଳ କମ୍ବଳ ନୁହେଁ, ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମରେ କପଡ଼ା ମଧ୍ୟ ଦାନ କରିଛନ୍ତି । ଆଉ ଯାହା ବଳକା ଟଙ୍କା ରହିଛି, ସେଥିରେ ଦୁଃଖୀ ଦରିଦ୍ରଙ୍କୁ ଲକ୍ଷ୍ୟ ରଖିଛନ୍ତି ପ୍ରଫୁଲ୍ଲ । ତାଙ୍କର ଏହି ମହତ ଉଦ୍ଦେଶ୍ୟ ପାଇଁ ପୁଅର ମୃତ୍ୟୁକୁ ଭୁଲି ପାରୁନାହାନ୍ତି ପରିବାର । ପୁଅକୁ ଶ୍ରଦ୍ଧାଂଜଳି ଦେବା ପାଇଁ ବାପା ଯେଉଁ ମହତ କାର୍ଯ୍ୟ ହାତକୁ ନେଇଛନ୍ତି, ତାକୁ ସାଧୁବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ ।