ମୋରବୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଘଟଣାସ୍ଥଳ ବୁଲିଲେ, ଆହତଙ୍କୁ ଭେଟିଲେ

78

କନକ ବ୍ୟୁରୋ : ଅକ୍ଟୋବର ୩୦ ତାରିଖ ରବିବାର ସଂଧ୍ୟାରେ ଗୁଜରାଟ ମୋରବୀରେ ଯେଉଁ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ତାକୁ ନେଇ ପୂରା ଦେଶ ସ୍ତବ୍ଧ ହୋଇଛି । ମଙ୍ଗଳବାର ମୋରବୀରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ । ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୋରବୀ ସିଭିଲ ହସିପିଟାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସେ ପଚାରିବୁଝିଛନ୍ତି । ଏଥିସହ ଉଦ୍ଧାରକାରୀ ଦଳ, ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗୁଜରାଟ ମୋରବୀ ଝୁଲାପୋଲ ଦୁର୍ଘଟଣାରେ ମର୍ମାହତ ସାରା ଦେଶ । ଆଖି ଆଗରେ ଚାଲି ଯାଇଛି ୧୩୦ରୁ ଅଧିକ ଜୀବନ । ପୂଜା ପାଇଁ ଆସିିଥିବା ଶ୍ରଦ୍ଧାଳୁ ଏକଥା ଆଦୌ ଜାଣିନଥିଲେ କି ଯେଉଁ ସ୍ଥାନକୁ ସେମାନେ ପୂଜା ପାଇଁ ଆସିଛନ୍ତି ସେଠାରୁ ନିଜ ଘରକୁ ଫେରିବା ହୁଏତ ଆଉ ସମ୍ଭବ ନୁହେଁ । କ୍ଷଣିକ ଭିତରେ ମୃତ୍ୟୁ ଜାଲରେ ପଡିଯାଇଥିଲା ଶତାଧିକ ଲୋକଙ୍କ ଜୀବନ । କେହି ଏହି ଜାଲରୁ ଜୀବନ ବଂଚାଇ ଫେରିଛନ୍ତି ତ ଅନେକ ଜୀବନ ହାରିଛନ୍ତି । ଝୁଲାପୋଲ ଦୁର୍ଘଟଣାକୁ ଦୁଇଦିନ ପୂରିବା ପରେ ମଙ୍ଗଳବାର ଅପରାହ୍ଣରେ ମୋରବୀରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଘଟଣାସ୍ଥଳ ପରିଦର୍ଶନ କରି କେମିତି ଦୁର୍ଘଟଣା ଘଟିଥିଲା, କଣ ଥିଲା ସେଦିନର ଦୃଶ୍ୟ, କେମିତି ଭିଡ ଭିତରେ ଚାଲିଯାଇଛି ଶତାଧିକ ଲୋକଙ୍କ ଜୀବନ ଏନେଇ ଟିକନିକ ଖବର ସ୍ଥାନୀୟ ପ୍ରଶାସନଠାରୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହା ପୂର୍ବରୁ ଆକାଶମାର୍ଗରୁ ସ୍ଥିତି ନିରିକ୍ଷଣ କରିଥିଲେ ମୋଦୀ । ମଚ୍ଛୁୁ ନଦୀ ଯେଉଁଠି ସେହି ଝୁଲପୋଲ ଛିଡିବା ପରେ ଏଭଳି ବଡ ଦୁର୍ଘଟଣା ଘଟିଥିଲା ସେଠାକାର ସ୍ଥିତି ଆକାଶମାର୍ଗରୁ ଦେଖିଥିଲେ ପ୍ରଧାନମନ୍ତ୍ରୀ ।

ସୋମବାର ମୁରବୀ ଝୁଲାପୋଲ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖି ଭାବବିହ୍ୱଳ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ଜୀବନ କାଳରେ ଏଭଳି ଦୁଖ କ୍ୱଚିତ ପାଇଥିବେ । ଏବଂ ଗୋଟିଏ ପଟେ ଯନ୍ତ୍ରଣା ଓ ଅନ୍ୟପଟେ କର୍ତବ୍ୟ ରହିଥିବା କହିଥିଲେ ପ୍ରଧାନମନ୍ତ୍ରୀ ।

ଘଟଣାସ୍ଥଳ ବୁଲି ଦେଖିବା ପରେ ଡାକ୍ତରଖାନାରେ ପହଁଚି ଆହତଙ୍କୁ ଭେଟିଛନ୍ତି ମୋଦୀ । ସମସ୍ତ ପୀଡିତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି । ରବିବାର ମରଣଯନ୍ତାରୁ ଅଳ୍ପକେ ବର୍ତି ନିଜର ଅନୁଭୁତିକୁ ପ୍ରଧାନମନ୍ତ୍ରୀଙ୍କ ଆଗରେ ବଖାଣିଛନ୍ତି ଆହତମାନେ । ସେପଟେ ଦୁର୍ଘଟଣାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀଙ୍କ ଅଭିଯୋଗ ଏହାକି ପୋଲରେ ହୋଇଥିଲା ନିମ୍ନମାନର ମରାମତି କାମ ।

– ପୋଲର ମରାମତି ପାଇଁ ଏକ ଘଂଟା ତିଆରି କରାଯାଉଥିବା କମ୍ପାନୀକୁ ଟେଣ୍ଡର
– ବିନା ଫିଟନେସ୍ ସାର୍ଟିଫିକେଟ୍ରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୋଲକୁ ଖୋଲିଦିଆଯାଇଥିଲା
– ପୋଲର କ୍ଷମତା ୨୦୦ ଥିବାବେଳେ କେମିତି ପହଁଚିଲେ ୫ଶହରୁ ଅଧିକ ଲୋକ?
– ୧୨ଟଙ୍କା ଓ ୧୭ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିଲା ମାତ୍ରାଧିକ ଟିକେଟ୍
– କାହା ନିର୍ଦ୍ଦେଶରେ ଏତେ ଟିକେଟ୍ ବିକ୍ରି ହୋଇଥିଲା?

 

ଏତେବଡ ଦୁଃଖ ଦୁର୍ଘଟଣା ସମୟରେ ବି ଗୁଜରାଟ ସରକାରଙ୍କ କାର୍ଯ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୋରବୀ ଯିବା ସ୍ଥିର ହୋଇଥିଲା, ସେତେବେଳେ ମୋରବୀରୁ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଯେଉଁ ଡାକ୍ତରଖାନାରେ ଆହତ ଭର୍ତି ହୋଇଥିଲେ, ମୋଦୀଙ୍କ ଗସ୍ତ ପୂର୍ବରୁ ଡାକ୍ତରଖାନାରେ ରଙ୍ଗ ମରାଯିବା ସହ ମରାମତି କରାଯାଉଥିବା ଦେଖିବାକୁ ମିଳିଥିଲା । ସାଧାରଣ ଲୋକଙ୍କ ଦୁଃଖ, ଦୁର୍ଦ୍ଦଶା ଭିତରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଡାକ୍ତରଖାନାକୁ ଏଭଳି ରଙ୍ଗ ଲଗାଇ ସଜାଇବା ଘଟଣାକୁ ସାଧାରଣରେ ସମାଲୋଚନା କରାଯାଉଛି ।