ଅପରାଜିତାଙ୍କ ଉପରେ ବର୍ଷିଲେ ସସ୍ମିତ । କହିଲେ, ୨ ବର୍ଷ ପୂର୍ବେ ପ୍ରଶାନ୍ତଙ୍କୁ ଜେଲରେ ରହିବା ଯୋଗ୍ୟ କହୁଥିଲେ, ଏବେ କେଉଁ ମୁହଁରେ ସୁରକ୍ଷା ଯୋଗାଉଛନ୍ତି?

207

କନକ ବ୍ୟୁରୋ : ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀକୁ ନେଇ ଅପରାଜିତା ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅପରାଜିତା ଜଣେ ଅପରାଧୀଙ୍କୁ ପ୍ରଶଂସା କରୁଥିବା କହିଛନ୍ତି ସସ୍ମିତ । ଏହାସହ ସସ୍ମିତ କହିଛନ୍ତି, ପ୍ରଶାନ୍ତ ଜଗଦ୍ଦେବ ଜଣେ ଗୁଣ୍ଡା ଏବଂ ବିଜେପି ବିଧାୟକ ପ୍ରାର୍ଥୀ । ୨ ଦିନ ତଳେ ସେ ଗିରଫ ହୋଇ ଜେଲ ଯାଇଛନ୍ତି । ପ୍ରଶାନ୍ତ ଜେଲ ଯିବା ପରେ ବିଜେପି ନେତାଙ୍କ ମଧ୍ୟରେ ତାଙ୍କ ସପକ୍ଷରେ କହିବା ସହ ତାଙ୍କୁ ନିଦ୍ଦୋର୍ଷ ବୋଲି କହିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଛି । ଇଭିଏମ ଭାଙ୍ଗିଥିବା, ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିଥିବା ପ୍ରଶାନ୍ତଙ୍କର ଗୁଣଗାନ କରିବାକୁ ବିଜେପି ନେତା ବ୍ୟଗ୍ର ହେଉଛନ୍ତି । ଖାସକରି ଅପରାଜିତା ଷଡଙ୍ଗୀ ଯେଉଁଭଳି ପ୍ରେସମିଟ୍ କରି ପ୍ରଶାନ୍ତଙ୍କୁ ନିଦ୍ଦୋର୍ଷ ବୋଲି ସାର୍ଟିଫିକେଟ ଦେଉଛନ୍ତି ତାହାକୁ ନେଇ ବର୍ଷିଛନ୍ତି ସସ୍ମିତ ।

ସସ୍ମିତ କହିଛନ୍ତି, ଏ ସେହି ଅପରାଜିତା ଷଡଙ୍ଗୀ ଯିଏ ୨ ବର୍ଷ ତଳେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇବାକୁ ନେଇ ପ୍ରଶାନ୍ତଙ୍କ ସ୍ଥାନ ଜେଲରେ ବୋଲି କହିଥିଲେ । ପୂର୍ବରୁ ପ୍ରଶାସନିକ ସେବାରେ ଥିବାରୁ ତାଙ୍କର ନୀତି ନୈତିକତା ଥିବ ବୋଲି ଭାବୁଥିଲୁ । କିନ୍ତୁ ଗୁଣ୍ଡା ମାନଙ୍କ ଗହଣରେ ରହି ଏବେ ଗୁଣ୍ଡାମାନଙ୍କୁ ସୁରକ୍ଷା ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି ଅପରାଜିତା । ଏବେ ପ୍ରଶାନ୍ତଙ୍କୁ କର୍ମଠ, କର୍ମବୀର ବୋଲି କହୁଛନ୍ତି ।

ଅପରାଧରେ ସମ୍ପୃକ୍ତ ଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ବିଦା କଲେ, କିନ୍ତୁ ବିଜେପି ଓ ଅପରାଜିତା ଷଡଙ୍ଗୀ ତାଙ୍କୁ ଫୁଲମାଳ ପକାଇ ଦଳକୁ ନେଲେ ଏବଂ ବିଧାୟକ ପ୍ରାର୍ଥୀ କଲେ । ଏଭଳି କରି ପ୍ରଶାନ୍ତଙ୍କୁ ପୁରସ୍କାର ଦେଉଛନ୍ତି ଅପରାଜିତା । ଦଳୀୟ କର୍ମୀଙ୍କୁ ଗାଡି ଚଢାଇଥିବାରୁ ପୁରସ୍କାରରେ ଆପଣଙ୍କୁ ଟିକେଟ ଦିଆଗଲା ବୋଲି କହି ଅପରାଜିତାଙ୍କୁ କଟାକ୍ଷ କରିଛନ୍ତି ସସ୍ମିତ ପାତ୍ର ।

ବିଜେପିର ଅପରାଧୀଙ୍କ ସହ ବେଶ ଉତ୍ତମ ସମ୍ପର୍କ । ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କୁ ବାଇମୁଣ୍ଡି କହିଥିଲେ ବିଜେପି ଦଳର ନେତା । ସେହିଭଳି ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଦେଇଥିଲେ । ଅପରାଧୀଙ୍କ ପ୍ରତି ବିଜେପିର ଭଲପାଇବା କାହାକୁ ଅଛପା ନାହିଁ । ପ୍ରଶାନ୍ତଙ୍କୁ ନେଇ ବିଜେପିର ଅନେକ ନେତା ଭିନ୍ନ ଭିନ୍ନ ବୟାନ ଦେଇଥିଲେ । ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଗୁଣ୍ଡା ଓଡ଼ିଶାର ଛବିକୁ ମଳିନ କରୁଛି ବୋଲି ମତ ଦେଇଥିଲେ । ଏବେ ଇଭିଏମ ଭାଙ୍ଗି ଗଣତନ୍ତ୍ରର ହତ୍ୟା କରିଥିବା ପ୍ରଶାନ୍ତଙ୍କୁ ମହାପୁରୁଷ ଆଖ୍ୟା ଦେଉଛନ୍ତି । ଏଭଳି ଦୋମୁହାଁ ନୀତି ପାଇଁ ବିଜେପିକୁ ଲାଜ ଲାଗିବା କଥା ।

ପ୍ରଦୀପ ପାଣିଗ୍ରାହୀ ନିରୀହ ଯୁବକଙ୍କୁ ଟାଟାରେ ଚାକିରୀ କରାଇବେ କହି ଟଙ୍କା ନେଇ ସ୍କାମ କଲେ? ଆଜି ଗୁଣ୍ଡା ଠକଙ୍କୁ କେମିତି ମହାପୁରୁଷ କହି ପୋଷ୍ଟର ବଏ କରୁଛି ବିଜେପି । ଜମି ଜବରଦଖଲକାରୀ ବୈଜୟନ୍ତ ପଣ୍ଡା ଆଦିବାସୀ ଜମି ଜବରଦଖଲ କରୁଛନ୍ତି. ତାଙ୍କ ଟିଭି ଚ୍ୟାନେଲ ଵି ସରକାରୀ ଜମିରେ ଅଛି. ସେ ତିନୋଟି କମ୍ପାନୀ ମେସିନା, ପିକିକା, ଫିନଲେକୁ ନେଇ ବାହାମାସରେ କଳାକାରବାର ହୋଇଛି । ଲୋକେ ହସୁଛନ୍ତି ଯେଵେ ସେମାନେ କହୁଛନ୍ତି ଆମେ ଅପରାଧୀଙ୍କୁ ଛାଡ଼ିବୁନି, ତାହାଲେ ଏ ସବୁ ବିଜେପି ନେତାଙ୍କୁ ଆଗ ଧର । ବିଜେପି ଏହି ପରି କ୍ରିମିନାଲଙ୍କୁ ଯେତେ ପ୍ରଶୟ ଦେବ, ଓଡ଼ିଶାବାସୀଙ୍କ ଆଖିରେ ଆହୁରି ତଳକୁ ତଳ ଖସିଯିବ ।