ଆଧ୍ୟାତ୍ମିକମୟ ବୌଦ୍ଧ ସହର । ଜଗନ୍ନାଥ ମନ୍ଦିରର ପରିସରରେ ଆୟୋଜିତ ହୋଇଛି ଶ୍ରୀଜିଉଙ୍କ ୩୨ ବେଶ ଉତ୍ସବ

64

କନକ ବ୍ୟୁରୋ : ଭାବ ବିନୋଦିଆ ଭାବର ଠାକୁର କାଳିଆ ସାଆନ୍ତ । ବଳିଆର ଭୁଜଙ୍କ ବିଭିନ୍ନ ବେଶ ଦେଖି ଭକ୍ତ ଆଖି ଛଳଛଳ । ଶ୍ରୀଜିଉଙ୍କ ଆଗରେ ହାତ ଟେକି ନିଜକୁ ସମର୍ପି ଦେଇଛନ୍ତି ଭକ୍ତ । ଗୋଟିଏ ସ୍ଥାନରେ ମହାପ୍ରଭୁଙ୍କ ୩୨ ପ୍ରକାର ବେଶ ଦେଖି ଆତ୍ମବିଭୋର ସମସ୍ତେ । ଜଗନ୍ନାଥମୟ ହୋଇଛି ବୌଦ୍ଧ ଜଗନ୍ନାଥ ମନ୍ଦିର ପରିସର । ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ, ଜଗାନନ ବେଶ, ହରିହର ବେଶ, ଗଜଉଦ୍ଧାରଣ ବେଶ, ବାଙ୍କଚୂଡ ବେଶ, ନାଗାର୍ଜୁନ ବେଶ ଦର୍ଶନ କରି ପବିତ୍ର ହୋଇଛି ଶ୍ରଦ୍ଧାଳୁଙ୍କ ଆଖି । ୫ଶହ ବର୍ଷ ତଳେ ହୋଇଥିବା ବିରଳ ଗିରି ଗୋବର୍ଦ୍ଧନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ ଠାକୁର ।

ମାନବୀୟ ଲିଳାଖେଳା କରୁଛନ୍ତି ପ୍ରତି ଓଡିଆଙ୍କ ପ୍ରାଣକେନ୍ଦ୍ର କାଳିଆ ଠାକୁର । ବିଭିନ୍ନ ସମୟରେ ମହାପ୍ରଭୁଙ୍କର ଭିନ୍ନଭିନ୍ନ ବେଶ କରାଯାଏ । ସବୁ ବେଳେ ସମସ୍ତେ ପୁରୀ ଯାଇ ବେଶ ଦର୍ଶନ କରି ପାରନ୍ତି ନାହିଁ । ତେଣୁ ବୌଦ୍ଧ ପ୍ରଶାସନ ପକ୍ଷରୁ ନିଆରା ପ୍ରୟାସ କରାଯାଇଛି । ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥଙ୍କ ୩୨ ଦୁର୍ଲଭ ବେଶ ଓ ପୂଜାର୍ଚ୍ଚନା କରାଯାଉଛି । ଶ୍ରଦ୍ଧାଳୁମାନେ ବିଭିନ୍ନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଫଟୋ ଉଠାଇ ସ୍ମୃତିରେ ସାଇତି ରଖୁଛନ୍ତି ।

ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରୀ ଅଭଡା, ଫେଣି, କାନିକା, କ୍ଷୀରି ପ୍ରସ୍ତୁତ କରି ଶ୍ରୀଜିଉଙ୍କ ପାଖରେ ଭୋଗ ଲାଗି ହେଉଛି । ସଂଧ୍ୟାରେ ଜଗ୍ନାନଥଙ୍କ ଲୀଳା ସଂପର୍କୀତ ପ୍ରବଚନରେ ଲୋକଙ୍କ ଭିଡ ଲାଗୁଛି ।