ପୁଣି ରାଜ୍ୟକୁ ଫେରିଲା ତାତି । ପଶ୍ଚିମରେ ୪୫ଡିଗ୍ରୀ ଡେଇଁଲା ପାରଦ । ବୌଦ୍ଧ ସବୁଠୁ ଉତ୍ତପ୍ତ ସ୍ଥାନ । ରାଜସ୍ଥାନରେ ପାରା ୫୦ ଡିଗ୍ରୀ ପାର୍ ।

501

କନକ ବ୍ୟୁରୋ: ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହୋଇଛି ତାତି । ମଂଗଳବାର ୪୫ ଦଶମିକ ୯ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି । ସେହିପରି ସୋନପୁରରେ ୪୫ ଦଶମିକ ୩ଡିଗ୍ରୀ ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ଡିଗ୍ରୀ ରେକର୍ଡ କରାଯାଇଛି । ବାତ୍ୟା ରେମାଲ ପ୍ରଭାବରେ କିଛି ଦିନ ଧରି ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିଲା । କିନ୍ତୁ ବାତ୍ୟା ଚାଲିଯିବା ପରେ ପୁଣି ପଶ୍ଚିମା ଉଷ୍ମ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଫଳରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବା ସହ ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଥିବାରୁ ଅଧିକ ଗରମ ଅନୁଭୂତ ହେଉଛି । ୭ଟି ଅଞ୍ଚଳରେ ୪୪ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏବଂ ମୋଟ୍ ୧୭ଟି ସ୍ଥାନରେ ୪୦ଡିଗ୍ରୀ ଉପରେ ରହିଛି ତାତି ।

ଜଳୁଛି ଉତ୍ତର ଭାରତ । ରାଜସ୍ଥାନ, ଦିଲ୍ଲୀରୁ ଆରମ୍ଭ କରି ପଞ୍ଜାବ ଯାଏଁ ଆକାଶରୁ ନିଆଁ ବର୍ଷା ହେଉଛି । ପାଣିପାଗ ବିଭାଗ ଅନୁସାରେ, ଆସନ୍ତା କିଛି ଦିନ ମଧ୍ୟରେ ତାତିରୁ ତ୍ରାହି ନାହିଁ । ତେବେ ଆଶା କରାଯାଉଛି, ମୌସୁମୀ ବାୟୁ ସକ୍ରିୟ ହେବା ପରେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ରାଜସ୍ଥାନରେ ଲୁ ଚାଲିଛି । ଗତକାଲି ରାଜସ୍ଥାନର ଚୁରୁରେ ତାପମାତ୍ରା ୫୦.୫ ଡିଗ୍ରୀ ରହିଛି ।