ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନିର୍ବାଚନ କମିଶନ । ସସପେଣ୍ଡ ପରେ ଆଜି ଦିଲ୍ଲୀରେ ହାଜର ହେବେ ଆଇପିଏସ ଡି.ଏସ.କୁଟ୍ଟେ ।

594

କନକ ବ୍ୟୁରୋ: ନିର୍ବାଚନ ସରି ଆସୁଥିବା ବେଳେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗରେ ବରିଷ୍ଠ ଆଇପିଏସ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେଙ୍କୁ ନିର୍ବାଚନ କମିଶନ ଚାକିରିରୁ ସସପେଣ୍ଡ କରିଛନ୍ତି । ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ସ୍ପେଶାଲ ସେକ୍ରେଟାରୀ ଭାବେ କାମ କରୁଥିଲେ । ଆଜି ଦିନ ୩ଟା ସୁଦ୍ଧା ତାଙ୍କୁ ଦିଲ୍ଲୀରେ ପହଞ୍ଚିବା ପାଇଁ କୁହାଯାଇଛି ।

ସେହିଭଳି ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏଥିପାଇଁ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ ହେବ । ୩୦ ତାରିଖ ସୁଦ୍ଧା କୁଟ୍ଟେଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଆଉ ସ୍ୱାସ୍ଥ୍ୟ ଯାଞ୍ଚ ରିପୋର୍ଟ ୩୧ ତାରିଖ ସୁଦ୍ଧା କମିଶନଙ୍କ ନିକଟରେ ଦାଖଲ ପାଇଁ କମିଶନ କହିଛନ୍ତି । ମେ ୪ ତାରିଖରୁ ଆଶିଷ ସିଂ ମେଡିକାଲ ଲିଭରେ ଅଛନ୍ତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି କହିଛି ଏଭଳି ନିଷ୍ପତ୍ତି ଗଣତନ୍ତ୍ରକୁ ସୁଦୃଢ କରିଛି । ଏହାଛଡା ପ୍ରଶାନ୍ତ ଜଗଦେବଙ୍କ ଇଭିଏମ ଭଙ୍ଗାରୁଜା ଅଭିଯୋଗର ତଦନ୍ତ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।