ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ବଢ଼ିଲା ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ଅଡ଼ୁଆ : କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

245

କନକ ବ୍ୟୁରୋ : ବଢିଲା ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଅଡୁଆ । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ନିରପେକ୍ଷ ତଦନ୍ତାକାରୀ ସଂସ୍ଥା ଭାବେ କ୍ରାଇମବ୍ରାଞ୍ଚ ଏହାର ସାନି ତଦନ୍ତ ଆବଶ୍ୟକ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ମାମଲାର ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ରାଙ୍କର ଅଧିକାରୀ ହୋଇଥିବାରୁ ତାଙ୍କଠାରୁ ଉଚ୍ଚ ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ଡିଆଇଜି ପାହ୍ୟାରୁ କମ୍ ହୋଇନଥିବା ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି କହିଛନ୍ତି ହାଇକୋର୍ଟ । ଘଟଣାର ସବୁ ଦିଗରୁ ଏହି ବରିଷ୍ଠ ଅଧିକାରୀ ତଦନ୍ତ କରି ନିମ୍ନ ଅଦାଲତରେ ରିପୋର୍ଟ ଦାଖଲ କରିବେ । ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ନଥିପତ୍ର, ରେକର୍ଡ, ସଂପୂର୍ଣ୍ଣ କେସ୍ ଡାଏରୀ ଇତ୍ୟାଦି ପୂର୍ବରୁ ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବେ । ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଆନନ୍ଦଙ୍କ ମୃତ୍ୟୁ ପରେ ପରିବାର ତରଫରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

– ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ଟପ୍ପୋ ପିଲା ଦିନର ସାଙ୍ଗ ଥିଲେ
– ୨୦୨୨ ଫେବ୍ରୁଆରୀ ୨୮ରେ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ହୋଇଥିଲା
– ଭୁବନେଶ୍ୱର ଇନଫୋସିଟି ଅଞ୍ଚଳର ଏକ ଫ୍ଲାଟରୁ ମିଳିଥିଲା ମୃତଦେହ
– ବେକରେ ଶାଢି ଦେଇ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଜଣାଇଥିଲେ
– ମୃତ୍ୟୁର କିଛି ଦିନ ପୂର୍ବରୁ ବିବାହ କରିଥିଲେ ଆନନ୍ଦ ଟପ୍ପୋ
– ହତ୍ୟା କରାଯାଇଥିବା ଇନଫୋସିଟି ଥାନାରେ ଏତଲା ଦେଇଥିଲେ ତାଙ୍କ ବାପା
– ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ଆନନ୍ଦଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ
– ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ଶୁଣିନଥିଲା ପୋଲିସ
– ଡିସିପିଙ୍କୁ ଅବଗତ କରାଯିବା ସହ ପୋଲିସ କମିଶନରଙ୍କୁ ଲିଖିତ ଅଭିଯୋଗ କରିଥିଲେ
– ପୋଲିସ କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଅଭିଯୋଗ ହୋଇଥିଲା
– ପୋଲିସ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ କରି ହାଇକୋର୍ଟ ଯାଇଥିଲେ ଆନନ୍ଦଙ୍କ ବାପା