ଆଜିଠୁ ଯୁକ୍ତଦୁଇ ନାମଲେଖା : ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ ଆଡମିସନ

155

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା । ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ନାମଲେଖା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ୪ ଲକ୍ଷ ୭୨ ହଜାର ୨୭୯ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ହଜାର ୩୬୮ଜଣଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ କରାଯାଇଛି । କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଛାତ୍ରଛାତ୍ରୀ ନାମଲେଖ‌ା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩, ବାଣିଜ୍ୟରେ ୨୫ ହଜାର ୧୬୮ଜଣ, ଉପଶାସ୍ତ୍ରୀରେ ୭୭୭୯ ଓ ଧନ୍ଦାମୂଳକ ବିଭାଗରେ ୫୨୨୦ଜଣ ମନୋନୀତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରେ ୨ଲକ୍ଷ ୩ହଜାର ୫୪୩ ଛାତ୍ର ଓ ୨ ଲକ୍ଷ ୮ ହଜାର ୭୭୮ ଛାତ୍ରୀ ରହିଛନ୍ତି। ଅନ୍ୟାନ୍ୟ ବର୍ଗର ୪୭ଜଣ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦରୁ ପାସ୍‌ କରିଥିବା ୪ ଲକ୍ଷ ୪୮ ହଜାର ୨୮୭ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ୩ ଲକ୍ଷ ୮୯ହଜାର ୪୯୪ଜଣ ନାମଲେଖା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ।

କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁଣିଥରେ ଶୀର୍ଷରେ ରହିଛି। ଅଧିକ ସଂଖ୍ୟକ ମେଧାବୀ ଛାତ୍ରଛାତ୍ରୀ ଏଠାରେ ପଢ଼ିବାକୁ ଆଗ୍ରହ ଦେଖାଇଛନ୍ତି । ବିଜେବି ସମେତ ରାଜ୍ୟର ଅନ୍ୟାନ୍ୟ ନାମକରା କଲେଜଗୁଡ଼ିକ ଏଥର ମଧ୍ୟ ବହୁ ପଛରେ ପଡ଼ିଛନ୍ତି । କଳା ବିଭାଗର ଶ୍ରେଷ୍ଠ ୧୦ କଟ୍‌-ଅଫ୍‌-ମାର୍କ ତାଲିକାରେ ଭୁବନେଶ୍ବରର ଗୋଟିଏ ବି କଲେଜ ସ୍ଥାନ ନ ପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ହାତଗଣତି ଘରୋଇ କଲେଜ ବ୍ୟତୀତ ବିଜ୍ଞାନ ବିଭାଗରେ ଭଲ ରେଜଲ୍ଟ କରୁଥିବା ଘରୋଇ ଯୁକ୍ତ୨ କଲେଜଗୁଡ଼ିକର କଟ୍‌-ଅଫ୍‌-ମାର୍କ ସେଭଳି ଆଖିଦୃଶିଆ ହୋଇପାରିନାହିଁ ।