ବିହାରରେ ବଡ ଟ୍ରେନ ଦୁର୍ଘଟଣା: ସୀମାଞ୍ଚଳ ଏକ୍ସପ୍ରେସ ଲାଇନଚ୍ୟୁତ,୬ ମୃତ, ଅନେକ ଆହତ

191

କନକ ବ୍ୟୁରୋ: ବିହାରର ବୈଶାଳୀ ଜିଲ୍ଲାରେ ଦିଲ୍ଲୀଗାମୀ ସୀମାଞ୍ଚଳ ଏକ୍ସପ୍ରେସର ୯ଟି ଡବା ଧାରଣାରୁ ବାହାରି ଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିଯୋଗୁଁ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।

ସୂଚନା ମୁତାବକ, ମେହନାର ରୋଡ୍ ଅତିକ୍ରମ କରିବା ପରେ ପାହାନ୍ତା ପ୍ରାୟ ୩:୫୮ ମିନିଟରେ ସହଦାଇ ବୁଜୁର୍ଗ ଠାରେ ରେଳଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି।ଗୋଟିଏ ଜେନେରାଲ୍ କୋଚ୍, ଗୋଟିଏ ଏସି କୋଚ୍ (୩ବି), ତିନୋଟି ସ୍ଲିପର୍ କୋଚ୍ (ଏସ୮, ଏସ୯, ଏସ୧୦) ଏବଂ ଆଉ ଚାରିଟି କୋଚ୍ ଧାରଣାଚ୍ୟୁତ ହୋଇଥିବା କଥା ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖପାତ୍ର ରାଜେଶ କୁମାର କହିଛନ୍ତି।

ରେଳ ଦୁର୍ଘଟଣା ଯୋଗୁଁ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରେଳବାଇ କହିଛି। ଦୁର୍ଘଟଣା ଘଟିବା ସମୟରେ ୧୨୪୮୭ ଯୋଗବାଣୀ-ଆନନ୍ଦ ବିହାର ସୀମାଞ୍ଚଳ ଏକ୍ସପ୍ରେସ ଦ୍ରୁତ ବେଗରେ ଗତି କରୁଥିଲା।ସୋନପୁର ଏବଂ ବରାଉନିରୁ ଦଳେ ଡାକ୍ତର ଘଟଣାସ୍ଥଳକୁ ଯାଇଛନ୍ତି। ଉଦ୍ଧାର କାର‌୍ୟ୍ୟ ଲାଗି ଗୋଟିଏ ଆକ୍ସିଡେଣ୍ଟ୍ ରିଲିଫ୍ ଟ୍ରେନ୍ ମଧ୍ୟ ପଠାଯାଇଛି। ଦୁର୍ଘଟଣା ସ୍ଥଳରେ ଉଦ୍ଧାର ଓ ରିଲିଫ୍ କାର‌୍ୟ୍ୟ ଚାଲିଥିବା କଥା ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ୍ କହିଛନ୍ତି।

ରେଳବାଇ ତରଫରୁ ହେଲ୍‌ପ୍‌ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି- ସୋନପୁର ୦୬୧୫୮୨୨୧୬୪୫, ହାଜିପୁର ୦୬୨୨୪୨୭୨୨୩୦ ବରାଉନି ୦୬୨୭୯୨୩୨୨୨୨।