ପିଆଜ ପଡିବନି, ସ୍ୱାଦ ଆସିବନି… ବିନା ପିଆଜରେ ଫିକା ପଡିବ କି ନୂଆବର୍ଷ ଭୋଜି ? ଦର କମୁନଥିବାରୁ ଆଶା ଆଶଙ୍କାରେ ପିକନିକ ପ୍ରେମୀ

551

କନକ ବ୍ୟୁରୋ: କେବେ କମିବ ପିଆଜ ଦର ? ନୂଆବର୍ଷ ପୂର୍ବରୁ ପିଆଜ ପାଟିରେ ବାଜିବ ନା ଏଥର ବିନା ପିଆଜରେ ପାଳନ ହେବ ନୂଆବର୍ଷ? ଆକାଶ ଛୁଆଁ ପିଆଜ ଦର ତଳକୁ ଖସୁନଥିବାରୁ ଏଭଳି କିଛି ପ୍ରଶ୍ନ ଖାଉଟି ଓ ବ୍ୟବସାୟୀଙ୍କ ମନରେ ଉଙ୍କି ମାରୁଛି । ତେବେ ଗତ ମାସେ ଧରି ପିଆଜ ଖାଲି ଓଡିଶା ନୁହେଁ ସାରା ଭାରତକୁ କନ୍ଦାଉଛି ।

ସେପଟେ ପିଆଜ ଦର କମିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଖାଉଟିଙ୍କୁ ବାରମ୍ବାର ଆଶ୍ୱାସନା ଦେଉଥିଲେ ବି ତାହା ମିଛ ବୋଲି ମାନି ନେଲେଣି ଲୋକେ । କାରଣ ତୁର୍କି ଓ ଶ୍ରୀଲଙ୍କା ପିଆଜ ରପ୍ତାନୀ କରିବାରେ ପ୍ରତିବନ୍ଧକ ଲଗାଇଛି । ତେଣୁ ଦେଶରେ ପିଆଜ ମିଳିବା କଷ୍ଟ ହେବାକୁ ଥିବା ବେଳେ ଦର କମିବାର ଆଶା କ୍ଷୀଣ ହୋଇଛି ।

ଦେଶର ଅନେକ ସ୍ଥାନରେ ପିଆଜ ଦର ୧୦୦ରୁ ୧୨୦ ଟଙ୍କା ରହୁଥିବା ବେଳେ । ଦର କମିବାର ନାଁ ଧରୁନି । ସେପଟେ ଓଡିଶାରେ ପିଆଜ ଦରକୁ ନିୟନ୍ତ୍ରଣ ରଖିବାକୁ ବଜାରରେ ଇଜିପ୍ଟ ପିଆଜ ଉପଲବ୍ଧ କରାଯାଇଥିବା ବେଳେ ଲୋକେ କିନ୍ତୁ ଇଜିପ୍ଟ ପିଆଜକୁ ଗ୍ରହଣ କରୁନାହନ୍ତି । ଏହି ପିଆଜ ଦେଖିବାକୁ ଚକଚକ ସିନା କିନ୍ତୁ ସ୍ୱାଦ ପାଣିଚିଆ । ଗୋଟିଏ ଗୋଟିଏ ପିଆଜର ଓଜନ ୫୦୦ ଗ୍ରାମରୁ ଅଧିକ ରହୁଛି । ତେଣୁ ଲୋକେ ଏହି ପିଆଜ କିଣିବାକୁ ପସନ୍ଦ କରୁନାହାନ୍ତି । ପିଆଜ ସହ ସେଲ୍ଫି ନେଉଛନ୍ତି ହେଲେ ଆଦୌ କିଣିବାକୁ ଚାହୁଁ ନାହାନ୍ତି ।

ସେପଟେ ପିଆଜ ଦର କରମୁ ନଥିବାରୁ ନୂଆବର୍ଷ ଭୋଜିକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ଲୋକେ । ଅଧିକ ଦର ଥିବାରୁ ବିନା ପିଆଜରେ କେମିତି ନୂଆବର୍ଷରେ ଭୋଜି ସମ୍ଭବ ହେବ ସେନେଇ ମଧ୍ୟ ଲୋକଙ୍କ ମନରେ ଶଙ୍କା ଜାତ ହେଲାଣି । ହୋଟେଲ ମାନଙ୍କରେ ମଧ୍ୟ ଆମିଷ ଖାଦ୍ୟରେ ଏତେଟା ପିଆଜ ଦିଆଯାଉନି । ତେଣୁ ଯଦି ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ପିଆଜ ଦର ନକମେ ତେବେ ଚଳିତ ବର୍ଷ ନୂଆବର୍ଷ ଫିକା ଫିକା ଲାଗିବ ବୋଲି ଅନୁମାନ କରାଯାଉଛି ।