ହାତରୁ ଲିଭିନଥିଲା ମେହେନ୍ଦି, ମଥାରୁ ଲିଭିଗଲା ସିନ୍ଦୂର । ଜନ୍ମଦିନରେ ସହିଦ ହୋଇଗଲେ ବୀର ଯବାନ ।

4,726

କନକ ବ୍ୟୁରୋ : ଜନ୍ମଦିନରେ ଲିଭିଗଲା ଜୀବନଦୀପ । ଦେଶ ପାଇଁ ସହିଦ ହୋଇଗଲେ ବୀର ଯବାନ ସୌରଭ କଟାରା । ମଙ୍ଗଳବାର ଜମ୍ମୁ-କାଶ୍ମୀରର କୁପୱାଡାରେ ହୋଇଥିବା ବୋମା ବିସ୍ଫୋରଣରେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି ସୌରଭ । ଆଉ ନିଜ ବୀର ଯବାନ ପୁଅକୁ ହରାଇ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପତ୍ନୀଙ୍କ ହାତରୁ ମେହେନ୍ଦି ଓ ପାଦରୁ ଅଳତାର ରଙ୍ଗ ଲିଭିନଥିବା ବେଳେ ମଥାରୁ କିନ୍ତୁ ସିନ୍ଦୂର ସବୁଦିନ ପାଇଁ ପୋଛି ହୋଇଯାଇଛି । ନୂଆ ଜୀବନର ଆରମ୍ଭ ପୂର୍ବରୁ ସବୁ କିଛି ଶେଷ ହୋଇଯାଇଛି । କାରଣ ସ୍ୱାମୀ ସୌରଭ ଦେଶ ପାଇଁ ସହିଦ ହୋଇଛନ୍ତି । ଆଉ ଏଭଳି ଏକ ଛାତିଥରା କାହାଣୀ ରାଜସ୍ଥାନର ଭରତପୁର ଅଞ୍ଚଳରୁ ଆସିଛି ।

ସୂଚନା ଅନୁଯାୟୀ, ଗତ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବୀର ଯବାନ ସୌରଭ । ତେବେ ବିବହାର ୮ ଦିନ ବାଦ କର୍ମକ୍ଷେତ୍ରକୁ ଫେରି ଯାଇଥିଲେ ସୌରଭ । ଆଉ ଯିବା ବେଳେ ଖୁବଶୀଘ୍ର ପୁଣିଥରେ ଫେରି ଆସିବାକୁ ପତ୍ନୀଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି ପୂରା କରିବା ପୂର୍ବରୁ ଅଫେରା ଦୁନିଆର ଅତିଥି ସାଜିଥିଲେ ସୌରଭ । ଯେହେତୁ ଗତକାଲି ସୌରଭଙ୍କର ଜନ୍ମଦିନ ଥିଲା ସେଥିପାଇଁ ଘରେ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଥିଲା । କିନ୍ତୁ ଏହି ସମୟରେ କୁପୱାଡାରୁ ଯେଉଁ ଖବର ଆସିଲା ତାହା ପୂରା ପରିବାରକୁ ସ୍ତବ୍ଧ କରିଦେଲା । କାରଣ କୁପୱାଡାରେ ହୋଇଥିବା ବୋମା ବିସ୍ଫୋରଣରେ ସହିଦ ହୋଇଯାଇଥିଲେ ସୌରଭ ।

ଆଉ ଆଜି ସୌରଭଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିଛି ସେତେବେଳେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପତ୍ନୀ ପୁନମ ଦେବୀ ବାକ୍ ଶୂନ୍ୟ ହୋଇପଡିଛନ୍ତି । ସୌରଭଙ୍କ ସହ ବିତାଇଥିବା ଅଳ୍ପ ଦିନର ସ୍ମୃତିକୁ ମନେ ପକାଇ ଭୋ ଭୋ ହୋଇ କାନ୍ଦି ଉଠିଛନ୍ତି ପତ୍ନୀ ପୁନମ । ତେବେ ଏସବୁ ଭିତରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୌରଭଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସହିଦ ସୌରଭଙ୍କ ବାପା ନରେଶ କଟାରା ମଧ୍ୟ ପୂର୍ବରୁ ଭାରତୀୟ ସେନାରେ କାମ କରିଛନ୍ତି । ୧୯୯୯ରେ କାରଗିଲ ଯୁଦ୍ଧରେ ମଧ୍ୟ ଦେଶ ପାଇଁ ଲଢିଛନ୍ତି ନରେଶ । ତେବେ ଦେଶ ପାଇଁ ପୁଅ ସହିଦ ହେବା ତାଙ୍କ ପାଇଁ ଗର୍ବର ବିଷୟ ଓ ସାନପୁଅକୁ ମଧ୍ୟ ଭାରତୀୟ ସେନାରେ ଭର୍ତ୍ତି କରିବି ବୋଲି କହିଛନ୍ତି ସୌରଭଙ୍କ ବାପା ।