ବ୍ରହ୍ମପୁର ରକ ଗାର୍ଡେନ ଧିରେ ଧିରେ କମୁଛି ଦେଖଣାହାରୀଙ୍କ ସଂଖ୍ୟା । ସହରବାସୀ କହିଲେ, ଗରିବଙ୍କ ପାଇଁ ନୁହେଁ ବଡବଡିଆଙ୍କ ପାଇଁ ରକ ଗାର୍ଡେନ

5,139

କନକବ୍ୟୁରୋ:ସହରର ସୌନ୍ଦର୍୍ୟକରଣ ପାଇଁ ବହୁ ସଂଘର୍ଷ ଓ ବାଦବିବାଦ ମଧ୍ୟରେ ନିର୍ମାଣ ହେଲା ରକ୍ ଗାର୍ଡେନ୍ । କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଗାର୍ଡେନ୍ ନିର୍ଦ୍ଧାରିତ ସମୟ ଠାରୁ ବହୁ ବିଳମ୍ବରେ ଖୋଲିଲା । ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷର ଏହି ପ୍ରକଳ୍ପକୁ ନେଇ ଯେଉଁ ସୁନେଲୀ ସ୍ୱପ୍ନ ଦେଖାଯାଇଥିଲା ଏବେ ସ୍ୱରୁପକୁ ଦେଖିଲେ ତାହା ଦିବା ସ୍ୱପ୍ନ ଥିଲା ଭଳି ଲାଗୁଛି । କାରଣ ମାତ୍ରାଧିକ ଶୁଳ୍କ ଲାଗି ଏବେ ମୁହଁ ମୋଡିବା ଆରମ୍ଭ କଲେଣି ପର୍ଯ୍ୟଟକ ।

କେବଳ ବଡବଡିଆଙ୍କ ପାଇଁ ଏହି ଗାର୍ଡେନ୍ ନିର୍ମାଣ ହୋଇଥିବା ଚର୍ଚ୍ଚା ହେଉଛି । ଦକ୍ଷିଣ ଓଡିଶାର ବାଣିଜ୍ୟିକ ପେଣ୍ଠସ୍ଥଳି ବ୍ରହ୍ମପୁର ସହରରେ ଲୋକଙ୍କ ମନୋରଞ୍ଜନ ପାଇଁ ୧୦କୋଟି ଟଙ୍କା ବ୍ୟୟରେ ରକ୍ ଗାର୍ଡେନ୍ ନିର୍ମାଣ କରାଯାଇଛି । ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଆମ୍ବପୁଆ ଠାରେ ୯ ବର୍ଷ ତଳୁ ଆରମ୍ଭ ହୋଇଥିବା ପ୍ରକଳ୍ପ ୬ ମାସ ତଳେ ଖୋଲାଯାଇଥିଲା । ହେଲେ ମାତ୍ରାଧିକ ଶୁଳ୍କ ବ୍ୟବସ୍ଥା ଲାଗି ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି ।

ଗାଡି ପାର୍କଂ ପାଇଁ ୨୦ଟଙ୍କା, ପ୍ରବେଶ ଶୁଳ୍କ ୨୦ଟଙ୍କା, ଲାଇଟ୍ ଟାୱାର ପାଇଁ ୨୦ଟଙ୍କା, ମିରର୍ ମେଜ ୫୦ଟଙ୍କା । ଏଭଳି ମୁଣ୍ଡ ପିଛା ଦେଢ ଶହରୁ ଅଧିକ ଟଙ୍କା ଦେବାକୁ ପଡୁଥିବା ଅଭିଯୋଗ ହେଉଛି । କେବଳ ପାଦ ଚଲା ରାସ୍ତା ଓ ଶିଶୁଙ୍କ ଖେଳ ଉପକରଣକୁ ଛାଡି ଅନ୍ୟ କିଛି ଦେଖିବାକୁ ହେଲେ ସ୍ୱତନ୍ତ୍ର ଶୁଳ୍କ ଦେବାକୁ ପଡୁଥିବାରୁ ରକ୍ ଗାର୍ଡେନକୁ ମୁହଁ ମୋଡୁଛନ୍ତି ଲୋକେ । ୯ ଏକର ସରକାରୀ ଜମିରେ ନିର୍ମିତ ରକ୍ ଗାର୍ଡେନ ଚୂଡାନ୍ତ ରୂପ ପାଇଛି କିନ୍ତୁ ଉଦ୍ଦେଶ୍ୟ ସାଧିତ ହୋଇପାରିନାହିଁ ।

ବ୍ରହ୍ମପୁର ସହରରେ ହାତ ଗଣତି କେତୋଟି ଶିଶୁ ଉଦ୍ୟାନକୁ ଛାଡିଦେଲେ ମନୋରଞ୍ଜନ ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ । ତେଣୁ ସର୍ବନିମ୍ନ ଶୁଳ୍କ କିମ୍ବା ଶୁଳ୍କମୁକ୍ତ କଲେ ସବୁ ବର୍ଗର ଲୋକେ ଏହାର ମଜ୍ଜା ନେଇ ପାରିବେ, ନଚେତ୍ ରକ୍ ଗାର୍ଡେନ ତାର ପରିଚୟ ହରାଇବ ବୋଲି ବୁଦ୍ଧିବୀବୀ ମତ ଦେଇଛନ୍ତି । ସାଧାରଣ ଲୋକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।