କାହିଁକି ବିଜେପି ଦେଇଛି ୪୦୦ ପାର୍ ନାରା? କାରଣ କହିଲେ ଦଳର ବରିଷ୍ଠ ନେତା

1,913

କନକ ବ୍ୟୁରୋ: ନିର୍ବାଚନ ଆରମ୍ଭ ହେବାଠୁ ବିଜେପି ୪୦୦ ପାରର ନାରା ଦେଉଛି । ସମ୍ବିଧାନ ପରିବର୍ତନ ପାଇଁ ବିଜେପି ଏହି ନାରା ଦେଇଛି ବୋଲି ଅଭିଯୋଗ ରହିଛି । ବିରୋଧୀ ବିଭିନ୍ନ ସଭା ସମିତିରେ ଏପରି କହୁଛି । ବିଜେପିର ଅନ୍ୟତମ ନେତା ଅନନ୍ତ ହେଗଡେ ମଧ୍ୟ ସମାନ କଥା ଦୋହରାଇବା ପରେ ବିରୋଧୀଙ୍କୁ ସମାଲୋଚନା କରିବାକୁ ବଳ ମିଳିଛି । ବିଜେପିର ବରିଷ୍ଠ ନେତା କିନ୍ତୁ ସମାନ କଥାକୁ ଖାରଜ କରି ଆସୁଛନ୍ତି । ଏହାରି ଭିତରେ ଦଳର ବରିଷ୍ଠ ନେତା ନିଶିକାନ୍ତ ଦୁବେ ଘୋଷଣା କରିଛନ୍ତି, ବିଜେପି ୪୦୦ରୁ ଅଧିକ ଆସନ ଜିତିଲେ ପିଓକେ ଭାରତରେ ସାମିଲ ହେବ । ଝାଡଖଣ୍ଡ ଗୋଣ୍ଡା ଲୋକସଭା ଆସନର ସାଂସଦ ପ୍ରାର୍ଥୀ ନିଶିକାନ୍ତ ଏକ୍ସରେ ପୋଷ୍ଟ କରି ଏହା କହିଛନ୍ତି । ଚଳିତ ନିର୍ବାଚନ ପାଇଁ ବିଜେପି ୩୭୦ ଟାର୍ଗେଟ ରଖିଥିବା ବେଳେ ଏନଡିଏ ପାଇଁ ୪୦୦ ପାରର ନାରା ଦେଇଛି । ଏହା ପୂର୍ବରୁ ମଂଗଳବାର ଓଡିଶାରେ ପ୍ରଚାର ବେଳେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସମାନ କଥା କହିଥିଲେ ।

ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକଛତ୍ରବାଦ ଶାସକ କହି କଟାକ୍ଷ କରୁଛନ୍ତି । ତେଣୁ ୪୦୦ରୁ ଅଧିକ ଆସନ ଜିତିଲେ ମୋଦୀ ନିଜ ଇଚ୍ଛା ଅନୁସାରେ ବା ତାଙ୍କୁ ସୁହାଇଲା ଭଳି ନିଷ୍ପତି ନେବେ । ଯାହା ସମ୍ବିଧାନର ଭାବମୂର୍ତିକୁ କ୍ଷୁର୍ଣ୍ଣ କରିବ ବୋଲି ବିରୋଧୀ କହୁଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ହୁଅନ୍ତୁ ଅବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମାନ କଥା ଦୋହରାଇ ଆସୁଛନ୍ତି । ତେଣୁ ସମ୍ବିଧାନର ସୁରକ୍ଷା ପାଇଁ ଇଣ୍ଡିଆ ମେଂଟକୁ ଭୋଟ୍ ଦେବାକୁ ବିରୋଧୀ ଅପିଲ୍ କରୁଛନ୍ତି । ଏହାରି ଭିତରେ ମୋଦୀ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ କହିଛନ୍ତି, ସମ୍ବିଧାନର ସୁରକ୍ଷା ପାଇଁ ସେ ବଳିଦାନ ଦେବାକୁ ପ୍ରସ୍ତୁତ ।

ଦେଶରେ ଆଉ ଦୁଇଟି ପର୍ଯ୍ୟାୟରେ ମତଦାନ ବାକି ରହିଛି । ବିରୋଧୀ ଏବଂ ବିଭିନ୍ନ ରାଜନୈତିକ ଦଳ ଦାବି କରୁଛନ୍ତି ଯେ ଆକଳନଠୁ ବହୁତ କମ୍ ଆସନ ଜିତିବ ବିଜେପି । ଆଉ ଏହି ସମୟରେ ଦୁବେଙ୍କ ବୟାନ ବଢାଇବ କି ଭୋଟ୍ ବ୍ୟାଙ୍କ ।