୭ ମାସ ପୂର୍ବରୁ ହେବ ବ୍ରିଟେନରେ ନିର୍ବାଚନ । ପ୍ରଧାନମନ୍ତ୍ରୀ ଋଷି ସୁନକ୍ କଲେ ଘୋଷଣା । ସର୍ଭେ ରିପୋର୍ଟ ବଢାଇଲା ଚିନ୍ତା

154

କନକ ବ୍ୟୁରୋ: ଜୁଲାଇ ୪ରେ ବ୍ରିଟେନରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ପ୍ରଧାନମନ୍ତ୍ରୀ ଋଷି ସୁନକ୍ ବୁଧବାର ଏହା ଘୋଷଣା କରିଛନ୍ତି । ଏହାପରଠାରୁ ବ୍ରିଟିଶ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଋଷି ସୁନକ୍ ଏହି ନିର୍ବାଚନକୁ ଆହ୍ୱାନପୂର୍ଣ୍ଣ ବୋଲି କହିଛନ୍ତି । ବ୍ରିଟେନ ନିଜର ଭବିଷ୍ୟତ ବାଛିବାର ସମୟ ଆସିଛି । ଋଷି ସୁନକ୍ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଭୋଟରଙ୍କ ସାମ୍ନା କରିବେ ।

  • ୭ ମାସ ପୂର୍ବରୁ ବ୍ରିଟେନରେ ନିର୍ବାଚନ
  • ଋଷି ସୁନକଙ୍କ ପାଇଁ ବଡ଼ ଆହ୍ୱାନ

୨୦୨୨ରେ ଶାସକ ଦଳ କଞ୍ଜରଭେଟିଭ୍ ପାର୍ଟି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରିନଥିଲା । ନିର୍ବାଚନ ପରେ ଦଳର ସଂସଦୀୟ ବୋର୍ଡ ସୁନକଙ୍କୁ ନେତା ଭାବେ ନିର୍ବାଚିତ କରିଥିଲା । ଜାନୁଆରୀ ୨୦୨୫ରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ଥିଲା । କିନ୍ତୁ ସୁନକ୍ ଏହାକୁ ୭ ମାସ ପୂର୍ବରୁ ଘୋଷଣା କରିଛନ୍ତି । ଏଥର କିନ୍ତୁ ଋଷି ସୁନକଙ୍କ ପାଇଁ ବିଜୟର ରାସ୍ତା ସହଜ ହେବନି ।

  • ସୁନକଙ୍କ ବିରୋଧରେ ଦଳୀୟ ସାଂସଦ?
  • ସର୍ଭେ ରିପୋର୍ଟ ବଢ଼ାଇଛି ଚିନ୍ତା

ଯଦିଓ ଋଷି ସୁନକ୍ ତାଙ୍କ ସରକାରର ଭଲ କାମ ବାବଦରେ ଢୋଲ ପିଟୁଛନ୍ତି ତଥାପି ସେ ନିଜ ଦଳର ନେତାମାନଙ୍କ ବିରୋଧର ସମ୍ମୁଖୀନ ହେଉଛନ୍ତି । ଯାହା ଚଳିତ ନିର୍ବାଚନରେ ବହୁତ କ୍ଷତି ଘଟାଇପାରେ । ଶାସକ କଞ୍ଜରଭେଟିଭ୍ ପାର୍ଟିର ଏକ ସୂତ୍ର ବିବିସିକୁ କହିଛି ଯେ ଦଳର କିଛି ସାଂସଦ ଋଷି ସୁନକଙ୍କ ବିରୋଧରେ ଅବିଶ୍ୱାସ ଭୋଟ୍ ପାଇଁ ଆହ୍ୱାନ କରୁଛନ୍ତି । ଜଣେ ସାଂସଦ ଦଳର ବର୍ତ୍ତମାନର ବାତାବରଣକୁ ଆତଙ୍କିତ ବୋଲି କହିଛନ୍ତି । ନିର୍ବାଚନରେ କନଜରଭେଟିଭ୍ ପାର୍ଟିରୁ ସୁନକ୍ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ।

ସେହିପରି ଲେବର ପାର୍ଟିର ନେତା ସାର୍ କିର ଷ୍ଟାରମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି । ଯିଏ କି ବ୍ରିଟେନରେ ଏବେ ଜଣେ ପ୍ରଭାବଶାଳୀ ନେତା । ଷ୍ଟାରମର ଇଂଲଣ୍ଡରେ ପବ୍ଲିକ୍ ପ୍ରସିକ୍ୟ଼ୁଟରର ପୂର୍ବତନ ନିର୍ଦ୍ଦେଶକ ଏବଂ ଏପ୍ରିଲ ୨୦୨୦ରୁ ଲେବର ପାର୍ଟିର ନେତା ଅଛନ୍ତି । ଅନେକ ଜନମତ ସର୍ବେକ୍ଷଣରେ ଲେବର ପାର୍ଟି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟି ଠାରୁ ବହୁତ ଆଗରେ ରହିଛି । ସେହିପରି ବ୍ରିଟେନର ଅନ୍ୟ ୩ଟି ଦଳ ଅଛନ୍ତି ଯାହା ସୁନକଙ୍କୁ କ୍ଷତି ପହଞ୍ଚାଇପାରେ ।

  • ୧୦ଟି ଉପନିର୍ବାଚନରେ କଞ୍ଜରଭେଟିଭ ପାର୍ଟିର ପରାଜୟ
  • ବଡ଼ ବିପର୍ଯ୍ୟୟ ସାମ୍ନା କରିପାରନ୍ତି ସୁନକ ସରକାର

୨୦୧୯ ନିର୍ବାଚନରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଦଳକୁ ବହୁମତ ଦେଇଥିଲେ । କିନ୍ତୁ ଏହାପରେ ଗୋଟିଏ କାର୍ଯ୍ୟକାଳରେ ୧୦ରୁ ଅଧିକ ଉପନିର୍ବାଚନ ହୋଇଛି । ୩ ମାସ ତଳେ ୨ଟି ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା । ଯେଉଁଥିରେ କଞ୍ଜରଭେଟିଭ୍ ପାର୍ଟି ହାରିଥିଲା । ତେଣୁ ଏବେ ନିର୍ବାଚନ ବେଳେ ଯଦି ସମାନ ମାହୋଲ ରହିବ ତାହେଲେ ସୁନକ ସରକାର ହାରିବା ଏକ ପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି । ନିକଟରେ ୧୮ ହଜାର ଲୋକଙ୍କୁ ନେଇ ଏକ ସର୍ଭେ ହୋଇଥିଲା । ଯେଉଁଥିରେ କଞ୍ଜରଭେଟିଭ୍ ପାର୍ଟି ୩୨୬ ଏବଂ ଲେବର ପାର୍ଟି ୪୦୩ ଅତିକ୍ରମ କରିବ ବୋଲି ରିପୋର୍ଟ ରହିଛି ।