ଏପଟେ ପ୍ରଚାର, ସେପଟେ ପ୍ରେସମିଟ୍ । ପ୍ରସଙ୍ଗ ରଖି ପରସ୍ପରକୁ ଟାର୍ଗେଟ କଲେ ନେତା ।

350

କନକ ବ୍ୟୁରୋ: ନିର୍ବାଚନବେଳେ ଚର୍ଚ୍ଚାରେ ନେତାଙ୍କ ପ୍ରେସମିଟ୍ ପଲିଟିକ୍ସ । ଗୋଟିଏ ପଟେ ପ୍ରଚାର ମଇଦାନକୁ ଓହ୍ଲାଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ନେତା । ଜନସଭା ଓ ରୋଡ୍ ସୋ କରି ଭୋଟ୍ ମାଗିଛନ୍ତି । ସେପଟେ ତୁହାକୁ ତୁହା ପ୍ରେସମିଟ୍ କରି ବିପକ୍ଷ ନେତାଙ୍କୁ ଘେରୁଛନ୍ତି । ଲାଗୁଛି ଯେମିତି ପ୍ରଚାର ଭଳି ସାମ୍ବାଦିକ ସମ୍ମିଳନୀ ବି ରାଜନୈତକ ଦଳଗୁଡିକ ପାଇଁ ଗୁରୁତ୍ୱପୂର୍ଣ୍ଣ ପାଲଟିଛି ।

ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ବିଜେପିର କେନ୍ଦ୍ରୀୟ ନେତା ଦମ ଲଗାଇଦେଇଥିବାବେଳେ ବିଜେଡି ବି ଜୋରଦାର ପ୍ରଚାର ଚଳାଇଛି । କିନ୍ତୁ ନେତାଙ୍କ ପ୍ରଚାର କେବଳ କେବଳ ଜନସଭା ବା ରୋଡ ସୋରେ ସୀମିତ ହୋଇ ରହିନାହିଁ , ବରଂ ଘନ ଘନ ପ୍ରେସମିଟ ବି ଚାଲିଛି ।

  • ଏପଟେ ପ୍ରଚାର, ସେପଟେ ପ୍ରେସମିଟ୍
  • ପ୍ରସଙ୍ଗ ରଖୁଛନ୍ତି ନେତା

ସମ୍ବଲପୁରରେ ଶନିବାର ଭୋଟ ପଡିବ । ଆଜି ସନ୍ଧ୍ୟାରେ ସରିଛି ପ୍ରଚାର । ଆଉ ଦୀର୍ଘଦିନ ପରେ ଉଠିଛି ମହାନଦୀ ପ୍ରସଙ୍ଗ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାନଦୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ମୌସୁମୀ ସମୟରେ ସବୁ ନଦୀରେ ପାଣି ରଖିବାରେ ଓଡିଶା ସରକାର ବିଫଳ । ନ୍ୟାୟୋଚିତ ଲଢେଇରେ ବିଜେପି ସାଙ୍ଗରେ ରହିବ । ସେପଟେ ଧର୍ମେନ୍ଦ୍ରକୁ ବି କାଉଣ୍ଟର କରିଛି ବିଜେଡି । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ଦଳର ନେତା ଭୃଗୁ ବକ୍ସିପାତ୍ର ।

  • କେନ୍ଦ୍ରୀୟ ବିଜେପି ନେତାଙ୍କ ଉପରେ ବର୍ଷିଲେ ପାଣ୍ଡିଆନ
  • ‘ଓଡିଶାବାସୀ ଠିକ୍ ଜବାବ ଦେବେ’

ନିର୍ବାଚନ ଋତୁରେ ନେତାଙ୍କ ଆକ୍ରମଣ-ପ୍ରତି ଆକ୍ରମଣ ଜାରି ରହିଛି । ଆଉ କେନ୍ଦ୍ରୀୟ ବିଜେପି ନେତାଙ୍କ ଘନ ଘନ ଗସ୍ତ ଉପରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । କହିଛନ୍ତି, ୨୦୧୯ରେ ଆସିଥିଲେ, ୨୦୨୪ରେ ବି ଆସିବେ । କିନ୍ତୁ ଏହାର କିଛି ପ୍ରଭାବ ପଡିବ ନାହିଁ । ଓଡିଶାବାସୀ ଠିକ୍ ଜବାବ ଦେବେ ।

  • ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଘେରିଲେ ଅପରାଜିତା
  • ରିପୋର୍ଟ କାର୍ଡ ଦେଖାଇ କଲେ ପ୍ରଶ୍ନ

ଭୁବନେଶ୍ୱର ସାଂସଦ ଆଜି ପୁଣି ରିପୋର୍ଟ କାର୍ଡ ଦେଖାଇ ମୁଖ୍ୟମନ୍ତ୍ରୀଙ୍କୁ ୩ଟି ପ୍ରସଙ୍ଗରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଜାରି କରି ଅପରାଜିତାଙ୍କୁ ଘେରିଥିଲେ । ଆଉ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅପରାଜିତା ଷଡଙ୍ଗୀ । ସେହିଭଳି ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି, କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ ଓ ବିଜେଡି ନେତା ଅମର ପଟ୍ଟନାୟକ ବି ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିଛନ୍ତି । ଲାଗୁଛି ଯେମିତି ପ୍ରଚାର ଭଳି ସାମ୍ବାଦିକ ସମ୍ମିଳନୀ ବି ରାଜନୈତକ ଦଳଗୁଡିକ ପାଇଁ ଗୁରୁତ୍ୱପୂର୍ଣ୍ଣ ପାଲଟିଛି ।