ନବରଙ୍ଗପୁରରେ ନିଆଁ ଜଳୁଛି । ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁହଁ ଖୋଲୁନି ପୋଲିସ, ରହସ୍ୟ ଘେରରେ ପୋଷ୍ଟମର୍ଟମ ରିପୋର୍ଟ

342

କନକ ବ୍ୟୁରୋ : ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସକୁ କୌଣସି ସଫଳତା ମିଳିନାହିଁ । ଅନ୍ଧାରରେ ବାଡି ବୁଲାଉଛି ପୋଲିସ । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ନବରଙ୍ଗପୁର ବନ୍ଦ ପାଳନ କରିଛି କଂଗ୍ରେସ । ୧୩ ତାରିଖ ରାତିରେ ଦିଆଳି ପର୍ବରେ ଗୁମଣ୍ଡଳୀ ଗାଁ ଲୋକ ମସଗୁଲ ଥିବା ବେଳେ ପରିସ୍ରା କରିବାକୁ ଯାଇଥିବା ଜଣେ ନାବାଳିକା ନିଖୋଜ ହୋଇ ଯାଇଥିଲେ । ପରଦିନ ସକାଳୁ ଉଦ୍ଧାର ହୋଇଥିଲା ନାବାଳିକାର କ୍ଷତବିକ୍ଷତ ମୃତଦେହ ।

ନବରଙ୍ଗପୁରରେ ନିଆଁ ଜଳୁଛି । କାରଣ ୧୩ ଦିନ ବିତିଗଲାଣି, ହେଲେ କୋଷାଗୁମୁଡ଼ା ଥାନା ଗୁମଣ୍ଡଳୀ ଗାଁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କେହି ମୁହଁ ଖୋଲୁନାହାନ୍ତି । ପୋଲିସର ହାତ ମଧ୍ୟ ଖାଲି । ଯାହାକୁ ନେଇ ପ୍ରତିବାଦର ନିଆଁ ଜଳିଛି ନବରଙ୍ଗପୁରରେ । ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ନବରଙ୍ଗପୁର ବନ୍ଦ ପାଳନ କରିଛି କଂଗ୍ରେସ । ଆମ୍ବେଦକର ଛକ ନିକଟରେ ଥିବା ଅବ୍ୟବହୃତ କାରରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକ । ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଉପରେ ଅଟକି ରହିଥିଲା ଶହ ଶହ ଗାଡ଼ି ମଟର ।

୧୩ ତାରିଖ ରାତିରେ ଦିଆଳି ପର୍ବରେ ଗୁମଣ୍ଡଳୀ ଗାଁ ଲୋକ ମସଗୁଲ ଥିବା ବେଳେ ପରିସ୍ରା କରିବାକୁ ଯାଇଥିବା ଜଣେ ନାବାଳିକା ନିଖୋଜ ହୋଇ ଯାଇଥିଲେ । ପରଦିନ ସକାଳୁ ଘର ଠାରୁ ମାତ୍ର ୫୦୦ ମିଟର ଦୂରରୁ ଉଦ୍ଧାର ହୋଇଥିଲା ନାବାଳିକାର କ୍ଷତବିକ୍ଷତ ମୃତଦେହ । ମୃତଦେହ ନିକଟରୁ ଜିନ୍ସ ପ୍ୟାଣ୍ଟ ଜବତ କରିଥିଲା ପୋଲିସ । ଘଟଣା ପରଦିନ କୋରାପୁଟ କୋଟପାଡ଼ ବାଟକୁହୁଡ଼ି ଗାଁର ୨ ଜଣଙ୍କୁ ଉଠାଇ ଆଣିଥିଲା ପୋଲିସ । ହେଲେ ଏହାପରେ ତଦନ୍ତ ଯେଉଁଠି ଥିଲା, ସେଇଠି ଅଟକି ରହିଛି । ନା, ପୋଲିସ କିଛି କହୁଛି, ନା ପ୍ରଶାସନ ମୁହଁ ଖୋଲୁଛି ।

ପୋଲିସର ତଦନ୍ତ ପ୍ରକ୍ରିିୟାକୁ ସନ୍ଦେହ କରିବା ସହ ମୃତ ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି । ସେପଟେ ଡାକ୍ତରଖାନା କର୍ତୃପକ୍ଷ ମଧ୍ୟ ପୋଷ୍ଟମର୍ଟମ ସଂପର୍କରେ ମୁହଁ ଖୋଲୁନାହାନ୍ତି । ନାବାଳିକା ଗଣଦୂୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ଚୁପ୍ ବସିଥିବା ବେଳେ ପୋଲିସ ଓ ପ୍ରଶାସନ ବିରୋଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଅନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦୀପ ମାଝୀ ।