ଖୋର୍ଦ୍ଧାରେ ଚାଞ୍ଚଲ୍ୟ । ନଦୀ ପଠାରୁ ମିଳିଲା ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ ।

2,226

କନକ ବ୍ୟୁରୋ: ଖୋର୍ଦ୍ଧାରେ ଚାଞ୍ଚଲ୍ୟ । ବେଗୁନିଆ ଥାନା ଗଡ଼ମାଣତୀର ନିକଟସ୍ଥ ଅଠାରଙ୍ଗ ହଡ଼ାନଈ ପଠାରୁ ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହ ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଚିହ୍ନଟ କରିବା ଅସମ୍ଭବ ହୋଇପଡ଼ିଛି ।

ସୂଚନା ମୁତାବକ, କିଛି ଦିନ ଦୁଇଜଣ ଯୁବକ ଯୁବତୀ ନିଖୋଜ ହୋଇଥିବା ନେଇ ବେଗୁନିଆ ଥାନାରେ ଏକ ଅଭିଯୋଗ ହୋଇଥିଲା । ପରିବାର ଲୋକ ନିଖୋଜ ଯୁବକ-ଯୁବତୀଙ୍କୁ ଖୋଜାଖୋଜି କରିବା ଜାରି ରଖିଥିବା ବେଳେ ଗାଇ ଚରାଇବାକୁ ଯାଇଥିବା ଲୋକମାନେ ନଦୀପଠାରେ ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଗଡ଼ମାଣତୀର ବିଟ୍ ହାଉସ ଅଧିକାରୀ ସରୋଜ କୁମାର ସେନାପତି, ବେଗୁନିଆ ପୋଲିସ ଏବଂ ଖୋର୍ଦ୍ଧା ଏସଡ଼ିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶବ ଦୁଇଟି ପଚି ଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇପାରିନାହିଁ । କିନ୍ତୁ ଉଭୟ ଫେରାର ଥିବାରୁ ଶବ ଦୁଇଟି ସେମାନଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଡିଏନଏ ପରୀକ୍ଷା ପରେ ଶବ କାହାର ତାହା ଜଣାପଡ଼ିବ ବୋଲି ପୋଲିସ କହିଛି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି । ଉଭୟ ଯୁବକ ଯୁବତୀଙ୍କ ଭିତରେ ପ୍ରେମସମ୍ପର୍କ ଥିବାବେଳେ ସେମାନେ ଚଳିତ ମାସ ୧୧ ତାରିଖରୁ ଘରୁ କେଉଁଆଡ଼େ ଚାଲିଯାଇଥିଲେ ।