କିଏ ଜିତିବ ଫାଇନାଲ ମୁକାବିଲା? ଭାରତକୁ ଦରକାର ୨୮୦ ରନ୍, ଅଷ୍ଟ୍ରେଲିଆକୁ ଦରକାର ୭ ୱିକେଟ ।

1,834

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଇଂଲଣ୍ଡର ଓଭାଲରେ ଚାଲିଥିବା ମ୍ୟାଚର ଶେଷ ଦିନରେ ଭରପୁର ରୋମାଞ୍ଚ ଦେଖିବାକୁ ମିଳିବ । କାରଣ ଫାଇନାଲ ମୁକାବିଲା ଜିତିବାକୁ ହେଲେ ଭାରତକୁ ଦରକାର ୨୮୦ ରନ । ସେହିଭଳି ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ଆବଶ୍ୟକ ୭ ୱିକେଟ୍ । ଗୋଟିଏ ପଟେ ଅଷ୍ଟ୍ରେଲିଆ ଦମଦାର ବୋଲିଂ କରୁଥିବା ବେଳେ ଟିମ୍ ଇଣ୍ଡିଆ ସର୍ତକତାର ସହ ବ୍ୟାଟିଂ କରୁଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବିରାଟ କୋହଲି ୪୪ ରନ ଏବଂ ରାହାଣେ ୨୦ ରନ କରି ଅପରାଜିତ ରହିଛନ୍ତି ।

ଚତୁର୍ଥ ଦିନରେ ଦ୍ୱିତୀୟ ସେସନରେ ହିଁ ଅଷ୍ଟ୍ରେଲିଆ ୭ ୱିକେଟରେ ୨୭୦ ରନ କରି ପାଳି ଘୋଷଣା କରିଥିଲା । ଏହାସହ ଭାରତକୁ ୪୪୪ ରନର ବିଶାଳ ବିଜୟଲକ୍ଷ୍ୟ ମିଳିଥିଲା । ପ୍ରଥମରୁ ରୋହିତ ଓ ଗିଲ ଭାରତକୁ ଦୃଢ ଆରମ୍ଭ ଦେଇଥିଲେ । ତେବେ ବିବାଦୀୟ ଢଙ୍ଗରେ ଗିଲ୍ ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଅଧିନାୟକ ରୋହିତ ଓ ପୂଜାରା । ଦ୍ରୁତ ଗତିରେ ରନ୍ ସଂଗ୍ରହ କରୁଥିବା ବେଳେ ଅଳ୍ପ ବଲ ବ୍ୟବଧାନରେ ଉଭୟ ପୂଜାରା ଓ ରୋହିତ ନିଜର ୱିକେଟ ହରାଇଥିଲେ । ଏହାପରେ ଭାରତ ସଙ୍କଟରେ ପଡିଥିଲା । ତେବେ କୋହଲି ଓ ରାହାଣେ ପାଳିକୁ ସମ୍ଭାଳିବା ସହ ଭାରତକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ । ଚତୁର୍ଥ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୩ ୱିକେଟରେ ୧୬୪ ରନ କରିବାରେ ସକ୍ଷମ ହୋଇଛି । ଯେହେତୁ ଗୋଟିଏ ଦିନ ଖେଳ ବାକି ରହିଛି ତେଣୁ ମ୍ୟାଚର ଫଳାଫଳ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।