ସ୍ଥଳଭାଗ ଅତିକ୍ରମ କଲା ଭୀଷଣ ବାତ୍ୟା‘ରେମାଲ’ । ପଶ୍ଚିମବଙ୍ଗ ଓ ବାଂଲା ଦେଶ ଉପକୂଳରେ ରଚିଲା ତାଣ୍ଡବ ।

ଘଣ୍ଟାପ୍ରତି ୧୩୦କିମି ବେଗରେ ବହିଲା ପବନ ।

460

କନକ ବ୍ୟୁରୋ: ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ରେମାଲ’ । ଘଣ୍ଟା ପ୍ରତି ୧୩୦କିମି ବେଗରେ ପବନ ସହ ପଶ୍ଚିମବଙ୍ଗ ଓ ବାଂଲା ଉପକୂଳରେ ରଚିଲା ତାଣ୍ଡବ ।

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ରାତି ତମାମ ବର୍ଷା । ଆଜିଠୁ ରାଜ୍ୟରେ ପୁଣି ବୃଦ୍ଧି ପାଇବା ଦିନର ତାପମାତ୍ରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ଉପକୂଳ ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପାରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି । ଭୀଷଣ ବାତ୍ୟା ଏବେ କ୍ରମଶଃ ଦୁର୍ବଳ ହେବା ସହ ଉତ୍ତର ଦିଗକୁ ଗତି କରିଛି । ତେବେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟା ରେମାଲ ପଶ୍ଚିମବଙ୍ଗ ଉପକୂଳ ଏବଂ ବାଂଲାଦେଶର ଅନେକ ସ୍ଥାନରେ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିବା ସହ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି । ସେହିପରି ସମୁଦ୍ରରେ ମଧ୍ୟ ଉଚ୍ଚ ଲହରୀ ଆସୁଥିବା ଦେଖିବାକୁ ମିଳିଛି ।
ତେବେ ବାତ୍ୟାର କ୍ଷୟକ୍ଷତି ଏବଂ ମୃତାହତ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି । ଏସବୁ ମଧ୍ୟରେ ଏନଡିଆରଏଫ ଏସଡିଆରଏଫ୍ ବାତ୍ୟା ପ୍ରଭାବିତ ଅଂଚଳରେ ପହଁଚି ଏହାର ମୁକାବିଲା କରିଛନ୍ତି ।

ବାତ୍ୟା ପ୍ରଭାବରେ ଉପୁଡି ପଡିଥିବା ବଡ଼ ବଡ଼ ଗଛ ଏବଂ ବିଜୁଳି ଖୁଣ୍ଟକୁ ଯୁଦ୍ଧକାଳୀନ ଭିତିରେ ମରାମତି କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ବାତ୍ୟା ରେମଲା ଉପରେ ସମୀକ୍ଷା ବୈଠକ କରିଛନ୍ତି । ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ବିଶେଷ ନଥିଲେ ମଧ୍ୟ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ସେପଟେ ଦୁଇ ଦିନ ପାଗ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଥିବା ବେଳେ ଆଜିଠୁ ରାଜ୍ୟରେ ପୁଣିଥରେ ତାପମାତ୍ରା ବୃଦ୍ଧି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।