ରାୟଗଡ଼ାର ସଜନା ଚାଷୀ ଟଙ୍କ । ୨ ଏକର ଜମିରେ ଲଗାଇଛନ୍ତି ସଜନା ଗଛ, ବର୍ଷକୁ ରୋଜଗାର ହୋଉଛି ଲକ୍ଷାଧିକ ଟଙ୍କା

195

କନକ ବ୍ୟୁରୋ : ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାର ପ୍ରାୟ ଅଧୀକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । ତେବେ ରାମାନାଗୁଡା ବ୍ଲକ ଏରାଗୁଡା ଗାଁର ଯୁବଚାଷୀ ଟଙ୍କ ଶବର ବିଏ ପାସ୍ କରିବା ପରେ ଚାକିରି ପଛରେ ନଗୋଡେଇ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କରି ଜଣେ ସଫଳ ଚାଷୀ ରୂପେ ଅଂଚଳରେ ନିଜର ପରିଚୟ ସୃ୍ଷ୍ଟି କରିଛନ୍ତି । କିଛି ଭିନ୍ନ କରିବା ଉଦ୍ଦେଶ୍ୟରେ ସଜନା ଚାଷ କରି ସେ ଏଥିରେ ସଫଳ ହୋଇଛନ୍ତି । ସ୍ଥାନୀୟ ଅଂଚଳରେ ସଜନା ଚାଷ କମ ମାତ୍ରା ହେଉଥିବାରୁ ସଜନା ପାଇଁ ଅନ୍ୟ ଅଂଚଳ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏହାକୁ ଦୃଷ୍ଟିରେ ରଖି ଚାଷୀ ଜଣକ ଆରମ୍ଭ କରିଥିଲେ ସଜନାଚାଷ । ନିଜର ୨ ଏକର ପରିମିତ ଜମିରେ ସଜନା ଚାଷ ସହ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ଆହାର ଯୋଗାଉଛନ୍ତି । ଏଥିପାଇଁ ଏକର ପିଛା ୨୦ ହଜାରରୁ ୨୫ ହଜାର ଟଙ୍କା ବିନିଯୋଗ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଟଙ୍କ । ଚାଷୀଙ୍କ କ୍ଷେତରୁ ପ୍ରତିଦିନ ଏକ କ୍ୱିଂଟାଲରୁ ଅଧିକ ସଜନା ଉତ୍ପାଦନ ହେଉଛି । କିଲୋ ପିଛା ୫୦-୬୦ ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି । ବର୍ତମାନ ସୁଦ୍ଧାଚାଷୀ ଜଣକ ୨୦ କୁଇଂଟାଲରୁ ଅଧିକ ସଜନା ବିକ୍ରିକରି ନିଜର ଆର୍ôଥକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ଯୁବ ଚାଷୀଙ୍କ ଚାଷ ପ୍ରତି ଆଗ୍ରହ ଦେଖି ତାଙ୍କ ପରିବାର ଲୋକ ତାଙ୍କୁ ଚାଷ କାମରେ ସହାୟତା କରୁଛନ୍ତି । ଉତ୍ପାଦିତ ସଜନା ବିକ୍ରି କରିବା ପାଇଁ ଚାଷୀ ଜଣକ ନିକଟସ୍ଥ ବଜାର ଉପରେ ନିର୍ଭର କରୁଥିବା ବେଳେ ବିଭିନ୍ନ ଅଂଚଳରୁ ବ୍ୟବସାୟୀ ମାନେ ମଧ୍ୟ ତାଙ୍କ ଜମି ନିକଟକୁ ଆସି ସଜନା କିଣିନିଅନ୍ତି ।

ଟଙ୍କ ଶବରଙ୍କ ଚାଷ କରିବାର ଇଚ୍ଛାକୁ ସଫଳ କରିବା ପାଇଁ ସହାୟତାର ହାତ ବଢାଇଛି ଉଦ୍ୟାନ କୃଷି ବିଭାଗ । ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଚାଷୀଙ୍କୁ ସଜନା ଚାରା ଯୋଗାଇ ଦିଆଯିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ବିଭାଗ ତରଫରୁ ପ୍ରଦାନ କରାଯାଇଛି ।

ବର୍ତମାନର ଯୁବଗୋଷ୍ଠୀ ଚାକିରି ପଛରେ ପଡି ଚାଷ କାମରୁ ମୁହଁ ଫେରାଉ ଥିବାବେଳେ ଯୁବଚାଷୀଙ୍କ ଏଭଳି ପ୍ରୟାସ ଅନ୍ୟ ଶିକ୍ଷିତ ଯୁବକଙ୍କ ପାଇଁ ନିଶ୍ଚୟ ପ୍ରେରଣା ଯୋଗାଇବ ।