ଗଂଜାମର ପ୍ରସିଦ୍ଧ ଗୋଛା ବାଇଗଣ । ଏକର ଏକର ଜମିରେ ବାଇଗଣ ଚାଷ କରିଛନ୍ତି ଗୋଛା ପଂଚାୟତର ଚାଷୀ

594

କନକ ବ୍ୟୁରୋ : ସ୍ୱାବଲମ୍ବୀ କରିଛି ବାଇଗଣ ଚାଷ । ଗଂଜାମ ଜିଲ୍ଲା ସୋରଡ଼ା ବ୍ଳକ ଗୋଛା ପଂଚାୟତର ଶତାଧିକ ଲୋକ ବାଇଗଣ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି   । ଏହି ବାଇଗଣ ଗୋଛା ବାଇଗଣ ଭାବେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ । ଗୋଛା ପଂଚାୟତର ବଡ଼ଗୋଛା, ସାନଗୋଛା, ଯାତ୍ରାମା, ମାଳିପଙ୍କା, ବାଲାପଙ୍କା ଓ ଡ଼ାବିକି ଗାଁର ଶହ ଶହ ଚାଷି ଜମି ଭଡ଼ାରେ ନେଇ ଚାଷ କରୁଛନ୍ତି । ଏକ ଏକର ଜମିକୁ ୫ ହଜାର ଟଙ୍କା ଭଡ଼ାରେ ନେଇ ଏମାନେ ଚାଷ କରନ୍ତି । ପଂଚାୟତର ପାଖାପାଖି ୪ଶହରୁ ଅଧିକ ଚାଷୀ ବାଇଗଣ ଚାଷ କରି ଭଲ ରୋଜଗାର କରୁଛନ୍ତି । ୧ ଏକର ଜମିରେ ୧ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ବିନିଯୋଗ କରି ସେମାନେ ୩ରୁ ୪ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଛନ୍ତି । ଗଂଜାମ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।

ଚାରିପଟେ ପାହାଡ଼, ମଝିରେ ରହିଛି ଗୋଛା ପଂଚାୟତ । ଏଠାରେ କୃଷୀକାମ ପାଇଁ ଜଳସେଚନର ସେତେଟା ସୁବିଧା ନାହିଁ । ନିକଟରେ ଥିବା ପାହାଡ଼ରୁ ବହିଆସିଥିବା ଡାବିକି ନାଳରୁ ମଟର ପମ୍ପ ସାହାଯ୍ୟରେ ପାଣି ମଡ଼ାଇ ଲୋକମାନେ ଚାଷ କରନ୍ତି । ଏଥିପାଇଁ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ପୂର୍ବରୁ ଚାଷୀ ବାଇଗଣ ଚାଷ କରୁଥିଲେ ମଧ୍ୟ ଏତେଟା ଭଲ ହେଉନଥିଲା । କରୋନା ପର ଠାରୁ ଏହାକୁ ଜୀବନ ଜୀବିକାର ମାଧ୍ୟମ କରିଛନ୍ତି । ସେହିଭଳି ଜଣେ ଚାଷୀ ହେଉଛନ୍ତି ଚନ୍ଦନ ସାହୁ । ଅର୍ଥ ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ । କରୋନା ମହାମାରୀ ଯୋଗୁଁ ଗାଁକୁ ଫେରି କିଛି ଲୋକ ଏକାଠି ବାଇଗଣ ଚାଷ କରୁଛନ୍ତି । କିଛି ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଏହି ଅଂଚଳରେ କିଛି କିଛି ଲୋକ ଏକାଠି ହୋଇ ଗ୍ରୁପ୍ ଗଠନ କରି ଚାଷ କରୁଛନ୍ତି । ୫ରୁ ୧୦ ଜଣ ଚାଷୀ ଏକାଠି ହୋଇ ଏକର ଏକର ଜମିରେ ଚାଷ କରି ଭଲ ରୋଜଗାର କରନ୍ତି । ଯାହା ଅନ୍ୟ ଅଂଚଳର ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛି ।