କାଠରେ ସୁନ୍ଦର କଳାକୃତି । ଚାବି ରିଙ୍ଗ, ନେମପ୍ଲେଟ୍, ପେନଷ୍ଟାଣ୍ଡ, ଉଡ୍ ଟ୍ରେ, ବାହାଘର ଗ୍ରୀଟିଙ୍ଗସ ଭଳି ସାମଗ୍ରୀ ତିଆରି କରୁଛନ୍ତି ମହିଳା

44

କନକ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ରେ ମହିଳା ମାନେ କାଠରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ସାମଗ୍ରୀ । ପୁଷ୍ପାଞ୍ଜଳି ମହାନନ୍ଦଙ୍କ ନେତୃତ୍ୱ ମହିଳା ମାନେ ଏହି କାମ କରି ବେଶ କିଛି ରୋଜଗାର କରିପାରୁଛନ୍ତି । ପୁଷ୍ପାଞ୍ଜଳି ଏହି କାମ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଶିଖିଥିଲେ । ପରେ ୨୦୧୩ରେ ୧୦ ଜଣ ମହିଳାଙ୍କୁ ନେଇ ବୈଭବ ଲକ୍ଷ୍ମୀ ଏସଏଚଜି ଗ୍ରୁପ୍ ଗଠନ କଲେ । କାଠରେ ଚାବିରିଙ୍ଗ, ହନୁମାନ ଚାଳିଶା ବୋର୍ଡ, ନେମପ୍ଲେଟ୍, ପେନଷ୍ଟାଣ୍ଡ, ଉଡ୍ ଟ୍ରେ, ବାହାଘର ଗ୍ରୀଟିଙ୍ଗସ, ବଡେ ଗ୍ରୀଟିଙ୍ଗସ ଭଳି ବିଭିନ୍ନ ଘରୋଇ ଉପକରଣ ତିଆରି କରିବା ଶିଖାଇଲେ । ଗ୍ରୁପର ମହିଳା ମାନେ ବିଭିନ୍ନ ସାମଗ୍ରୀ ତିଆରି କରି ଜିଲ୍ଲା ତଥା ଜିଲ୍ଲା ବାହାରେ ପଡ଼ୁଥିବା ବିଭିନ୍ନ ପଲିଶ୍ରୀ ମେଳାରେ ଏହି ସବୁ ସାମଗ୍ରୀ ବିକ୍ରି କରୁଥିଲେ । ଏବେ ୪ ମାସ ହେଲା ମିଶନ ଶକ୍ତି ବଜାରରେ ସାମଗ୍ରୀ ବିକ୍ରି କରୁଛନ୍ତି । ଆଉ ଭଲ ରୋଜଗାର ମଧ୍ୟ କରୁଛନ୍ତି ।

ଏହି କାମ ପାଇଁ ମହିଳା ମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଦ୍ୱାରା ମଧ୍ୟ ସମ୍ମାନୀତ ହୋଇଛନ୍ତି । ପୁଷ୍ପାଂଜଳୀଙ୍କ ଏଭଳି ଉଦ୍ୟମ ପାଇଁ ସବୁଆଡ଼ୁ ପ୍ରଶଂସା ମିଳିଛି । ମିଶନ ଶକ୍ତି ପକ୍ଷରୁ କିଛି ସହାୟତା ନେଇ ଏହି କାମକୁ ଆଗକୁ ବଢ଼ାଇଛନ୍ତି ମହିଳା । ଖରିଆରରୋଡ଼ ଠାରେ ମା’ ବୈଭବ ଲକ୍ଷ୍ମୀ ଏସଏଚଜି ଓ ଜୟ ଭୀମ ଏସଏଚଜି ଗୋଟିଏ ଉତ୍ପାଦକ ଗ୍ରୁପ୍ ଗଠନ କରି ଏହି କାମ କରୁଛନ୍ତି । ପାଖାପାଖି ୩୦ ଜଣ ମହିଳା ଏହି କାମ ଦ୍ୱାରା ଉପକୃତ ହୋଇପାରୁଛନ୍ତି ।

୨୦୧୭ରୁ ଏହି କାମ କରୁଛନ୍ତି ମହିଳା । ଏହା ଦ୍ୱାରା ମାସକୁ ୮ରୁ ୯ ହଜାର ଟଙ୍କା ରୋଜଗାର ମିଳୁଛି । ବଜାରରେ ଏହି ସବୁ ଜିନିଷରେ ଖୁବ୍ ଚାହିଦା ରହିଛି । ଏଥିପାଇଁ ମହିଳା ମାନଙ୍କୁ ଅର୍ଡର ମିଳୁଛି । ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ସୁନ୍ଦରଗଡ, ବରଗଡ଼ ସମେତ ପ୍ରାୟ ସମସ୍ତ ଜିଲ୍ଲାରେ ବିକ୍ରି ହେଉଛି ମହିଳାଙ୍କ ହାତ ତିଆରି ସାମଗ୍ରୀ । ଏହା ସହ ଅନ୍ୟ ରାଜ୍ୟରେ ମଧ୍ୟ ଏହି ସବୁ ସାମଗ୍ରୀ ବିକ୍ରି କରୁଛନ୍ତି ମହିଳା । ଘର କାମ ପରେ ଦିନକୁ ୨ରୁ ୪ ଘଂଟା ସମୟ ଦେଉଛନ୍ତି ମହିଳା ।

ମହିଳା ମାନଙ୍କର ଏଭଳି କାମ ଏବେ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।