ଦୁନିଆ ଜାଣିବା ଆଗରୁ ଆଦର୍ଶ ପାଲଟିଗଲା କୁନି ପୁଅ । ମୃତ୍ୟୁ ପରେ ଅଙ୍ଗଦାନ କରି ମହାନ ହୋଇଗଲେ ସୋରର ୯ ମାସର ପୁଅ ପ୍ରତ୍ୟୁଷ ।

399

କନକ ବ୍ୟୁରୋ: ଦୁନିଆ ଜାଣିବା ଆଗରୁ ଆଦର୍ଶ ପାଲଟିଛନ୍ତି ବାଲେଶ୍ୱର ସୋରର ପ୍ରତ୍ୟୁଷ ପାଣିଗ୍ରାହୀ । ମାତ୍ର ବର୍ଷେ ୯ ମାସ ବୟସରେ ୩ଟି ଅଙ୍ଗଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପ୍ରତ୍ୟୁଷ ଓ ତାଙ୍କ ବାପା ଗୌରୀଶଙ୍କର ପାଣିଗ୍ରାହୀ ଏବଂ ମାଆ ଶର୍ମିଷ୍ଠା ପାଣିଗ୍ରାହୀ ।

ପ୍ରତ୍ୟୁଷ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଜନ୍ମ ନେଇଥିଲେ । ଜନ୍ମର ୪ ମାସ ପରେ ମସ୍ତିଷ୍କରେ ସମସ୍ୟା ନେଇ ହସ୍ପିିଟାଲରେ ଚିକିତ୍ସିତ ହେଉଥିଲେ । ଦୀର୍ଘଦିନର ଚିକିତ୍ସା ପରେ ଡାକ୍ତର ଆଜି ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ । ଆଉ ପୁଅର ମୃତ୍ୟୁ ପରେ ଶୋକାକୁଳ ପରିବାର ପୁଅର କିଡନୀ, ହାର୍ଟ ଓ ଲିଭର ଦାନ କରିଛନ୍ତି । ଭୁବନେଶ୍ୱର ଘରୋଇ ହସପିଟାଲରୁ ଗ୍ରୀନ କରିଡର ହୋଇ ଭୁବନେଶ୍ୱର ବିମାନବନ୍ଦର ଯାଇଛି ଅଙ୍ଗ । ପ୍ରତ୍ୟୁଷ ପାଣିଗ୍ରାହୀ ପ୍ରାୟ ଦେଢବର୍ଷ ହସ୍ପିଟାଲ ବେଡରେ ରହିଥିଲେ । ଶେଷ ଥର ଲାଗି ବେଡରେ ବାପାଙ୍କ ସହିତ ହସି ହସି ବାପା ଡାକୁଥିଲେ । ମା’ଙ୍କ ଫୋନରେ ରିଲ୍ସ କରୁଥିଲେ । କାଲି ପ୍ରତ୍ୟୁଷଙ୍କ ମୃତଦେହ ହସ୍ପିଟାଲରୁ ବାହାରିବା ବେଳେ ହସ୍ପିଟାଲର ପରିସରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ ।

ଚେନ୍ନାଇର ଏମଜିଏମ ହସ୍ପିଟାଲରେ ଚିକିତ୍ସିତ ଶିଶୁ ଶରୀରରେ ଲାଗିବ ପ୍ରତ୍ୟୁଷର ହାର୍ଟ । ସେହିଭଳି ନୂଆଦିଲ୍ଲୀର ଆଇଏଲବିଏସ ହସ୍ପିଟାଲରେ ଚିକିତ୍ସିତ ଶିଶୁ ଶରୀରରେ ପ୍ରତିରୋପଣ ହେବ ଲିଭର । ହାଇଦ୍ରାବାଦ ଆପୋଲେ ହସ୍ପିଟାଲରେ ଜଣେ ଶିଶୁଙ୍କ ଶରୀରେର ଲାଗିବ କିଡନୀ ।