ପ୍ରବଳ ତାତି, ସିଝୁଛି ଓଡ଼ିଶା । ସକାଳୁ ସକାଳୁ ପ୍ରବଳ ଗୁଳୁଗୁଳି, ଆଗାମୀ ୫ ଦିନ ଯାଏଁ ସର୍ତକ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

301

କନକ ବ୍ୟୁରୋ : ତତଲା ଖରାରେ ଆଉଟପାଉଟ ହେଉଛି ସାରା ଓଡ଼ିଶା । ସକାଳ ସାଢେ ୫ଟାରୁ ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରୁଛି । ଆଉ ଦିନ ୧୦ଟା ପରେ ଘରୁ ବାହାରିବା କଷ୍ଟ ହୋଇପଡୁଛି । ତାପମାତ୍ରା ସାଙ୍ଗକୁ ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳିରେ ସିଝୁଛନ୍ତି ଲୋକେ । ଗତ କିଛି ଦିନ ହେଲା ଭୁବନେଶ୍ୱର ସମେତ ରାଜ୍ୟରେ ଅଧିକାଂଶ ଅଂଚଳରେ ଏଭଳି ଗୁଳୁଗୁଳିର ପ୍ରଭାବ ଦେଖିବାକୁ ମିଳିଛି । ତା ସାଙ୍ଗକୁ ବିଦ୍ୟୁତ୍ କାଟ ଲୋକଙ୍କୁ ଅଣନିଶ୍ୱାସୀ କରିପକାଇଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ରଜ ସୁଦ୍ଧା ତାତିରୁ ଲୋକଙ୍କୁ ନିସ୍ତାର ନାହିଁ । ଗତକାଲି ରାଜ୍ୟର ୨୦ ସହରର ତାପାମତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ପଶ୍ଚିମ ଓଡ଼ିଶାର ୮ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ଏଭଳି ତାତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା, ସୋନପୁର, ବୌଦ୍ଧ, କେନ୍ଦୁଝର ଆଦି ଅଂଚଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବାର ଅଛି ।

୧୩ ତାରିଖ ଯାଏ ରାଜ୍ୟରେ ଏଭଳି ଖରା ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ୮ ଜିଲ୍ଲାକୁ ଅଂଶୁଘାତ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ଭିତରେ ମୌସୁମୀ ଧିରେ ଧିରେ ଦକ୍ଷିଣ ଭାରତକୁ ଅଗ୍ରସର ହେବାରେ ଲାଗିଛି । ସମ୍ପୂର୍ଣ୍ଣ କେରଳକୁ ମୌସୁମୀ ଛୁଇଁସାରିଛି । ଏଥିସହ ଉତରପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ଆଜି ମୌସୁମୀ ପ୍ରବେଶ କରିସାରିଛି ।