ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, କହ୍ନେୟାଲାଲ ହତ୍ୟାକାରୀକୁ ମୁକୁଳାଇବାକୁ ବିଜେପି ନେତା ପକାଉଥିଲେ ଚାପ

859

କନକ ବ୍ୟୁରୋ : ରାଜସ୍ଥାନର ଉଦୟପୁରରେ ହୋଇଥିବା ଦର୍ଜୀ କହ୍ନେୟାଲାଲଙ୍କ ହତ୍ୟାକୁ ନେଇ ସାରା ଦେଶରେ ଧାର୍ମିକ ହିଂସା ଦେଖିବାକୁ ମିଳିଛି । ଏହି ହତ୍ୟାକାଣ୍ଡ ପଛରେ ରାଜସ୍ଥାନ କଂଗ୍ରେସ ସରକାରଙ୍କ ଅପରାଗତାକୁ ବାରମ୍ବାର ପ୍ରଶ୍ନ କରିଛି ବିଜେପି । ଏହାସହ କିଛି ହିନ୍ଦୁ ସଂଗଠନ ବି ରାଜସ୍ଥାନ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ହେଲେ ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଭଳି ଏକ ବୟାନ ଦେଇଛନ୍ତି କି, ଯାହାକୁ ନେଇ ସାରା ଦେଶ ଏବେ ବିଜେପି ଉପରେ ଆଙ୍ଗୁଳି ଉଠାଇବାକୁ ଯାଉଛି ।

କହ୍ନେୟାଲାଲଙ୍କ ହତ୍ୟା ପରେ ହତ୍ୟାକାରୀକୁ ତୁରନ୍ତ ଗିରଫ କରାଯାଇଥିଲା । ହେଲେ ତାଙ୍କୁ ଜେଲରୁ ମୁକୁଳାଇବାକୁ କିଛି ବିଜେପି ନେତା ବାରମ୍ବାର ଚାପ ପକାଉଥିବା କଥା କହିଛନ୍ତି ଆଶୋକ ଗେହଲଟ । ସେ କହିଛନ୍ତି କି ବିଜେପି ପ୍ରଥମେ ସ୍ପଷ୍ଟ କରୁ କି, କହ୍ନେୟାଲାଲ ହତ୍ୟାକାରୀ ସହ ବିଜେପିର କେତେ ଗଭୀର ସଂପର୍କ ରହିଛି ।

ସେପଟେ କହ୍ନେୟାଲାଲଙ୍କ ହତ୍ୟାକାରୀ ଯେଉଁ ଘର ଭଡାରେ ନେଇ ରହୁଥିଲା ସେ ଘର ମାଲିକ ବି ଏହା ପୂର୍ବରୁ ଅନେକ ଥର ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଘର ଭଡା ନଦେବା ସହ କିଛି ଅସାମାଜିକ ଲୋକ ତାଙ୍କ ପାଖକୁ ଯିବା ଆସିବା କରୁଥିବା ନେଇ ଘର ମାଲିକ ଅଭିଯୋଗ କରିଥିଲେ । ହେଲେ କିଛି ବିଜେପି ନେତା ଥାନାକୁ ଫୋନ କରି କହ୍ନେୟାଲାଲଙ୍କ ହତ୍ୟାକାରୀ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ଚାପ ପକାଇଥିବା କଥା ଗେହଲଟ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।