ଭୟ ବଢାଇଲା ନୂଆ ତଥ୍ୟ । ୪୦ଦିନକୁ ନେଇ ଚିନ୍ତା, କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ?

269

କନକ ବ୍ୟୁରୋ : ଚୀନରେ ସଂକ୍ରମଣ ବୃ୍ଦ୍ଧି ପରେ ଭାରତରେ ପୁଣି ଦେଖାଦେଇଛି ଭୟର ବାତାବରଣ । ଏହା ଭିତରେ ସ୍ୱାସ୍ଥ୍ୟମନ୍ତ୍ରାଳୟର ଏକ ରିପୋର୍ଟ କହୁଛି ଆଗାମୀ ୪୦ଦିନ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଜାନୁଆରୀ ମାସରେ ପିକ୍ ଛୁଇଁପାରେ ସଂକ୍ରମଣ ।

କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ?
ସ୍ୱାସ୍ଥ୍ୟ ବିଶେଷଜ୍ଞ ଏକଥାର ଆକଳନ କରୁଛନ୍ତି ଯେ ଦେଶରେ ୪ର୍ଥ ଲହର ଆସିବା ଆଶଙ୍କା କମ ରହିଛି । କାରଣ ଟିକା ଓ ବୁଷ୍ଟର ଡୋଜ ନେବା ପରେ, ୯୦ପ୍ରତିଶତ ଲୋକଙ୍କ ଶରୀରରେ ହାଇବ୍ରିଡ ଇମ୍ୟୁନିଟି ସୃଷ୍ଟି ହୋଇସାରିଛି । ଶରୀରରେ ଥିବା ଇମ୍ୟୁନିଟି ଓ ଟିକାକରଣ ପରେ ସୃଷ୍ଟି ହୋଇଥିବା ଇମ୍ୟୁନିଟିର ମିଶ୍ରଣକୁ କୁହାଯାଏ ହାଇବ୍ରିଡ ଇମ୍ୟୁନିଟି । ତେଣୁ ନୂଆ ଭାଇରସ ସହ ଲଢିବା ପାଇଁ ଏହା ବେଶ ଉପଯୋଗୀ ହେବ । ତେଣୁ ଚୀନ ପରି ସ୍ଥିତି ଭାରତରେ ଦେଖାଯିବା ସମ୍ଭାବନା ବେଶ କମ ରହିଥିବା କହିଛନ୍ତି କୋଭିଡ ଟାକ୍ସ ଫୋର୍ସ ମୁଖ୍ୟ ଏନ କେ ଆରୋଡା । ଜୁଲାଇ ମାସରେ ଦେଶରେ ଓମିକ୍ରନ ସବଭ୍ୟାରିଆଂଟ ଆସିସାରିଛି ଓ ଏହା ଦୀର୍ଘ ଦିନ ଧରି ରହିପାରେ । ତଥାପି କରୋନା ସ୍ଥିତି ଉପରେ ନଜର ରଖିବା ସହ ଆମକୁ ସଜାଗ ଓ ସତର୍କ ରହିବାକୁ ପଡିବ ।

ଗୋଟେ ପଟେ ସରକାର ଓ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏହି କଥା କହୁଛନ୍ତି । ଅନ୍ୟପଟେ ବର୍ତମାନ ଦେଶରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉବା ଯୋଗୁଁ ବିପଦ ସମ୍ପୂର୍ଣ୍ଣ ଟଳିଥିବା କୁହାଯାଇପାରିବନି । କାରଣ:
୨ମାସ ପରେ ଦେଶରେ ସଂକ୍ରମଣ ବୃଦ୍ଧି:
• ଗୋଟିଏ ସପ୍ତାହରେ ୨୧ ପ୍ରତିଶତ ଅଧିକ ମାମଲା ସାମ୍ନାକୁ ଆସିଛି
• ୨ ମାସ ଭିତରେ ସଂକ୍ରମଣ ୧୧ ପ୍ରତିଶତ ବୃଦ୍ଧି ପାଇଛି
• ଡିସେମ୍ବର ୧୪ରୁ ୨୦ ଭିତରେ ଦେଶରେ ୧୮ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି
• ଡିସେମ୍ବର ୨୦ରୁ ୨୬ ଭିତରେ ଦେଶରେ ୧୬ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି
• ଡିସେମ୍ବର ୨୨ରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୩୮୦ ରହିଥିଲା
• ଡିସେମ୍ବର ୨୭ରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୪୬୮ରେ ପହଁଚିଛି
କଣ କହୁଛି କରୋନାର ପୂର୍ବ ୩ଟି ଲହର ଟ୍ରେଣ୍ଡ୍?
• ଯେବେ ପୂର୍ବ ଏସିଆ ସଂକ୍ରମଣ ବଢିଛି ଏହାର ଠିକ ୩୫ରୁ ୪୦ଦିନ ଭିତରେ ଭାରତରେ ସଂକ୍ରମଣ ବୃଦ୍ଧି ପାଇଛି
• ସମସ୍ତ ପ୍ରକାର କଟକଣା ଓ ପଦକ୍ଷେପ ସତ୍ୱେ ଦେଶରେ ସଂକ୍ରମଣ ରୋକିବାକୁ ବିଫଳ ହୋଇଥିଲେ ସରକାର
• ୩ଟି କରୋନା ଲହର ଟ୍ରେଣ୍ଡ କହୁଛି ପ୍ରାରମ୍ଭିକ ପର୍ଯ୍ୟାୟରେ ସଂକ୍ରମଣ କମ ରୁହେ ।
• କିଛି ଦିନ ପରେ ଧିରେ ଧିରେ ସଂକ୍ରମଣ ବୃଦ୍ଧି ପାଇ ଦ୍ରୁତ ଗତିରେ ମାଡିଚାଲେ

ପ୍ରଥମ ଲହର ସମୟରେ ଅର୍ନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ କରିବା ପାଇଁ ସରକାର ୨୦୨୦ରେ ବିଳମ୍ବରେ ପଦକ୍ଷେପ ନେଇଥଇଲେ । ଏହା ଯୋଗୁଁ ସଂକ୍ରମଣ ବେଶ ବୃଦ୍ଧି ପାଇଥିଲା । ୨ୟ ଓ ୩ୟ ଲହର ସମୟରେ ମଧ୍ୟ ସରକାରଙ୍କ ଦାୟିତ୍ୱହୀନତା ପାଇଁ ସଂକ୍ରମଣ ବୃଦ୍ଧି ପାଇଥିଲା ଓ ମୃତ୍ୟୁ ମଧ୍ୟ ହୋଇଥିଲା

କରୋନାର ପ୍ରଥମ ଲହର ଟ୍ରେଣ୍ଡ:
ଦେଶରେ ପ୍ରଥମ ସଂକ୍ରମିତ ୨୦୨୦ ଜାନୁଆରୀ ୩୦ ରେ କେରଳରୁ ଚିହ୍ନଟ ହୋଇଥିଲେ । ଫେବ୍ର୍ରୁଆରୀ ମାସରେ ଏହା ପିକ୍ ଛୁଇଁଥିଲା । ଏହି ଦିନ ଦେଶରେ ଦୈନିକ ସଂକ୍ରମଣ ରେକର୍ଡ ସ୍ତରରେ ୯୮ହଜାର ଛୁଇଁଥିଲା । ପ୍ରାୟ ୩୭୭ ଦିନ ଧରି ଦେଶରେ ଚାଲିଛି କରୋନା ସଂକ୍ରମଣ ଓ ମୃତ୍ୟୁର ତାଣ୍ଡବ । ଏହି ସମୟରେ ପ୍ରାୟ ଏକ କୋଟି ୧୦ଲକ୍ଷ ମାମଲା ସାମ୍ନାକୁ ଆସିଥିଲା । ଦୈନିକ ପ୍ରାୟ ୪ଶହ ସଂକ୍ରମିତଙ୍କ ସହ ପ୍ରଥମ ଲହରରେ ୧ଲକ୍ଷ ୫୫ହଜାର ମୃତ୍ୟୁ ହୋଇଥିଲା ।

କରୋନା ଦିତ୍ୱୀୟ ଲହର ଟ୍ରେଣ୍ଡ:
୨୦୨୧ ମସିହା ଫେବ୍ରୁଆରୀ ୧୦ ପର୍ଯ୍ୟନ୍ତ ଦେଶର ସ୍ଥିତିରେ ସୁଧାର ଦେଖାଦେଇଥିଲା କିନ୍ତୁ ମାର୍ଚ୍ଚ ମାସରେ ପୁଣି ହୁ ହୁ ହୋଇ ସଂକ୍ରମଣ ବୃଦ୍ଧି ପାଇଥିଲା । ଏପ୍ରିଲ ୧ରୁ ମେ ୩୧ ଯାଏଁ ଦେଶରେ ତାଣ୍ଡବ କରିଥିଲା ଦ୍ୱିତୀୟ ଲହର । ଏହି ସମୟରେ ଦେଢକୋଟିରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏକ ଲକ୍ଷ ୭୦ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଦୈନିକ ୨୮୦୦ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ମେ ୬ ତାରିଖରେ ୨ୟ ଲହର ପିକ୍ ଛୁଇଁବା ସହ ଗୋଟିଏ ଦିନରେ ୪ଲକ୍ଷ ୧୪ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲା ।

କରୋନାର ତୃତୀୟ ଲହର ଟ୍ରେଣ୍ଡ:
ଓମିକ୍ରନ ଯୋଗୁଁ ବର୍ଷ ୨୦୨୧ ଡିସେମ୍ବର ମାସରୁ ଦେଶରେ କରୋନାର ୩ୟ ଲହର ଆରମ୍ଭ ହୋଇଥିଲା । ଡିସେମ୍ବ ୨୭ରୁ ତୃତୀୟ ଲହର ଆରମ୍ଭ ହେବ ଜାନୁଆରୀ ୨୧ରେ ଏହା ପିକ୍ ଛୁଇଁଥିଲା  । ଏହି ଦିନ ୩ଲକ୍ଷ ୪୭ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯଦିଓ ସଂକ୍ରମଣ ଅଧିକ ରହିଥିଲା । କିନ୍ତୁ ପୂର୍ବ ଦୁଇଟି ଲହର ଅପେକ୍ଷା ୩ୟ ଲହରରେ ମୃତ୍ୟୁ ସଂଖ୍ୟା ବେଶ କମ ରହିଥିଲା । ୩ୟ ଲହରରେ ଦେଶରୁ କେବଳ ୫୦ଲକ୍ଷ ୫ହଜାର ପଜିଟିଭ ଚିହ୍ନଟ ଓ ୧୦ହଜାର ୪୬୫ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଏହି ୩ଟି ରେକର୍ଡ ଗୋଟିଏ କଥା କହୁଛି କି କରୋନା ସଂକ୍ରମଣ ପ୍ରାୟତଃ ଜାନୁଆରୀ ମାସରେ ହୋଇଥାଏ । ପିକ୍ ଛୁଇଁବା ପୂର୍ବରୁ ଧିରେ ଧିରେ ସଂକ୍ରମଣ ବୃଦ୍ଧି ପାଏ ଓ ପରେ ଦ୍ରୁତ ଗତିରେ ମାଡି ଚାଲେ । ବର୍ତମାନ ମଧ୍ୟ ଦେଶରେ ଠିକ୍ ସେମିତି କିଛି ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟବିଶେଷଜ୍ଞ ଯଦିଓ କହୁଛନ୍ତି ବିଏଫ ଡଟ ସେଭେନ ବିଶେଷ ଘାତକ ନୁହେଁ । ସଂକ୍ରମଣ ଓ ମୃତ୍ୟୁ ଆଶଙ୍କା କମ ରହିଛି ତଥାପି ଚୀନର ସ୍ଥିତି ଦେଖି ଆମକୁ ସଜାଗ ଓ ସତର୍କ ରହିବା ଜରୁରୀ ।