ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ୍: ଦେଖିବାକୁ ମିଳିବ ଜର୍ମାନୀ ଓ ଜାପାନର ଝଲକ

165

କନକ ବ୍ୟୁରୋ: କେମିତି ଦେଖାଯିବ ଭୁବନେଶ୍ୱର ରେଲୱେ ଷ୍ଟେସନ । ଭୂମି ପୂଜନ ଅବସରରେ ରେଳଷ୍ଟେସନର ନବକଳେବରର ଚିତ୍ର ପ୍ରଦର୍ଶିତ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ମାଷ୍ଟରକାଂଟିନ୍ ଓ ୬ ନମ୍ବର ଗେଟ୍କୁ ଅଧିକ ସୁଗମ କରାଯିବ । ମୁଖ୍ୟ ପ୍ରବେଶ ପଥରେ ୬ ମହଲା ଓ ୪ ମହଲା ଦୁଇଟି କୋଠା ନିର୍ମାଣ ହେବ । ଫୁଟ୍ ଓଭରବ୍ରିଜ୍, ଏସ୍କାଲେଟର, ଲମ୍ବା ଚଉଡ଼ା ପ୍ଲାଟଫର୍ମ ତିଆରି ହେବ । ବିମାନବନ୍ଦର ଭଳି ଉନ୍ନତମାନର କରାଯିବ ଭୁବନେଶ୍ୱର ରେଳ ଷ୍ଟେସନ । ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦୮ କୋଟି ଟଙ୍କା ।

ଜମି ନଦେଲେ ରାଜ୍ୟରେ କିପରି ରେଳ ବିକାଶ ହୋଇପାରିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ସେ କହିଛନ୍ତି, ପୂର୍ବରୁ ଓଡ଼ିଶାକୁ ରେଲୱେ ପାଇଁ ୮୦୦ କୋଟି ମିଳୁଥିଲା, ଏବେ ୧୦ ହଜାର କୋଟି ମିଳୁଛି । ରାଜ୍ୟରେ ୩୬ଟି ଷ୍ଟେସନର ନବୀକରଣ ପାଇଁ ମଂଜୁରୀ ମିଳିଛି । ମୋଦୀଙ୍କ ଫୋକସରେ ରହିଛି ଓଡ଼ିଶା । ଭୂମିପୂଜନ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋଦୀ ସରକାର ବିଜୁଳି ବେଗରେ କାମ କରୁଛନ୍ତି । ଭଦ୍ରକକୁ ଏକ ସ୍ୱତନ୍ତ୍ର ଟ୍ରେନ ଦେବା ପାଇଁ ଧାମନଗର ବିଧାୟକ ଦାବି କରିବାର ଦେଢ଼ ଘଂଟା ପରେ ଦାବି ପୂରଣ ହୋଇଛି । ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା କହିଛନ୍ତି, କାମ କିପରି ଦ୍ରୁତ ଗତିରେ ହୁଏ, ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ୱାର୍କ ଅଡର୍ ଏହାର ପ୍ରମାଣ ।

ମୋଦୀ ସରକାର ବିଜୁଳି ବେଗରେ କାମ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହୁଥିବା ବେଳେ, ଭୁବନେଶ୍ୱର ରେଳଷ୍ଟେସନ ନବୀକରଣ ପ୍ରକଳ୍ପ କାର୍ଯ୍ୟ ୫ ବର୍ଷ ବିଳମ୍ବ ହେଲା ବୋଲି କହିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ସେହିପରି ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ କାହିଁକି ଶେଷ ହୋଇପାରୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ଦାୟୀ କରିଛନ୍ତି ।

ଭୁବନେଶ୍ୱର ରେଳ ଷ୍ଟେସନର ନବକଳେବର ପାଇଁ ଭୂମିପୂଜନ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ।