ପୁରୀ ପରିକ୍ରମା ପ୍ରକଳ୍ପ ଯାଞ୍ଚ କଲା ଏଏସଆଇର ବିଶେଷଜ୍ଞ ଟିମ୍ । ଯୁଗ୍ମ ଅନୁଧ୍ୟାନ ପରେ ଖନନ ସମ୍ପର୍କରେ କିଛି କହିଲେ ନାହିଁ ଅଧିକାରୀ

ମେ’ ୭ ସୁଦ୍ଧା ହାଇକୋର୍ଟକୁ ଦେବେ ଯାଞ୍ଚ ରିପୋର୍ଟ

85

କନକ ବ୍ୟୁରୋ: ପ୍ରଥମରୁ ନୀରବଦଷ୍ଟ୍ରା ସାଜିଥିବା ଏଏସଆଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ୟ୍ୟକୁ ଯାଞ୍ଚ କରିଛି । ଶ୍ରୀମନ୍ଦିର ଚାରିପାଖରେ ହୋଇଥିବା ନିର୍ମାଣ କାର୍ୟ୍ୟକୁ ଯାଞ୍ଚ କରାଯାଇଛି । ଅନୁଧ୍ୟାନ ପରେ କ’ଣ ଜାଣିବାକୁ ମିଳିଲା, ଏ ନେଇ ଗଣମାଧ୍ୟମ ଆଗରେ କିଛି ମୁହଁ ଖୋଲିନାହାନ୍ତି ଏଏସଆଇର ଟିମ୍ । ତେବେ ଆସନ୍ତା ମେ’ ୭ ତାରିଖ ସୁଦ୍ଧା ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ।

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଆଜି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନ୍ତର୍ଗତ ପରିକ୍ରମା ନିର୍ମାଣ କାର୍ୟ୍ୟକୁ ଯାଞ୍ଚ କରିବା ପାଇଁ ପହଁଚିଥିଲେ ଏଏସଆଇର ୩ ଜଣିଆ ବିଶେଷଜ୍ଞ ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶ ପ୍ରମୁଖ ଶ୍ରୀମନ୍ଦିରର ଉତ୍ତର ଦ୍ୱାର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ସମେତ ଏମାର ମଠ ସ୍ଥାନରେ ହୋଇଥିବା ନିର୍ମାଣ କାର୍ୟ୍ୟର ଅନୁଧ୍ୟାନ କରିଛନ୍ତି ।

  • କେତେ ଗଭୀର, କେତେ ଚଉଡ଼ାର ଖନନ ହୋଇଛି?
  • କେତେ ଲମ୍ବା ଓ ଚଉଡ଼ାର ପିଲାର୍ ନିର୍ମାଣ କରାଯାଉଛି?
  • ପିଲାର୍ ଉଚ୍ଚତା କେତେ ରହିଛି?
  • ପ୍ରକଳ୍ପ ଅଧୀନରେ ଆଉ କେଉଁ କେଉଁ ନିର୍ମାଣ କାର୍ଯ୍ୟ କରାଯିବ?

ଏସବୁ ଯାଞ୍ଚ କରିବା ସହ ପୁରୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛି ଏଏସଆଇ । ଯାଞ୍ଚ ପରେ ହାଇକୋର୍ଟକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ । ତେବେ ଅନୁଧ୍ୟାନରୁ କ’ଣ ଜାଣିବାକୁ ମିଳିଲା, ଏ ନେଇ ଗଣମାଧ୍ୟମକୁ କିଛି କହିନାହିଁ ଏଏସଆଇ । ତେବେ ନ୍ୟାସନାଲ ମନୁମେଣ୍ଟ ଅଥରିଟିର ଏନଓସି ପାଇବା ପରେ ଯାତ୍ରୀଙ୍କ ସୁବିଧା ପାଇଁ ଶୌଚାଳୟ, କ୍ଲୋକ୍ ରୁମ୍, ଆଶ୍ରୟ ସ୍ଥଳ, ପୁଲିସ କଣ୍ଟ୍ରୋଲ ରୁମ୍, ସୂଚନା ଓ ଆଶୁ ଚିକିତ୍ସା କେନ୍ଦ୍ର, ଜୋତା ଷ୍ଟାଣ୍ଡ, ୨୪ ଘଣ୍ଟିଆ ପାଣି ଓ ବିଦ୍ୟୁତ ଯୋଗାଣ ଆଦି କାର୍ୟ୍ୟ ଚାଲିଥିବା କହିଛନ୍ତି ପୁରୀ ଉପଜିଲ୍ଲାପାଳ । କୌଣସି ନିର୍ମାଣ ମେଘନାଦ ପାଚେରୀ ଠାରୁ ଅଧିକ ଉଚ୍ଚ ହେଉନାହିଁ । ଯାଞ୍ଚ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିବା ସେ କହିଛନ୍ତି ।

ପୁରୀ ଜିଲ୍ଲା ପ୍ରଶାସନ, ଓବିସିସି ଓ ଟାଟା ପ୍ରୋଜେକ୍ଟର ଅଧିକାରୀ ମଧ୍ୟ ଏହି ଯାଞ୍ଚରେ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା କମ୍ପାନୀ ଟାଟା ପ୍ରୋଜେକ୍ଟ ଜରିଆରେ ପ୍ରତିବନ୍ଧିତ ଅଞ୍ଚଳରେ ଖନନ ଚାଲିଥିବା ଅଭିଯୋଗ ରହିଛି । ବଡ ଧରଣର ଖନନ ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଅଭିଯୋଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରାଯାଇଥିଲା । ଏହାର ଶୁଣାଣି କରି ଯୁଗ୍ନ ଅନୁଧ୍ୟାନ କରିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ମେ’ ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୭ ତାରିଖ ସୁଦ୍ଧା ହାଇକୋର୍ଟରେ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବ ଏଏସଆଇ । ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ଉପରେ କୌଣସି ବିପଦ ରହିଛି କି ନାହିଁ ହାଇକୋର୍ଟଙ୍କୁ ଜଣାଇବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା ।