ରେକର୍ଡ ଭଙ୍ଗା ତାତି ଭିତରେ ସାମ୍ନାକୁ ଆସିଲା ନାସାର ଚିତ୍ର । ସାରା ଦେଶରେ ଜଳୁଛି ଜଙ୍ଗଲ ।

1,738

କନକ ବ୍ୟୁରୋ: ଏପ୍ରିଲ ମାସରେ ରେକର୍ଡ ଭଙ୍ଗା ତାତି, ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ସାମନାକୁ ଆସିଛି ନାସାର ଚିତ୍ର । ଗୋଟିଏ ପଟେ ଦେଶର ବିଭିନ୍ନ ଅଞ୍ଚଳରେ ଆକାଶରୁ ନିଆଁ ବର୍ଷା ହେଉଥିବା ବେଳେ ଅନ୍ୟପଟେ ଜଳୁଛି ଜଙ୍ଗଲ । ନାସାର ଫାୟାର ଇନଫରମେସନ୍ ଫର୍ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ ବା ଫାର୍ମସର ଏହି ଚିତ୍ର ଦର୍ଶାଉଛି, କେତେ ଭୟଙ୍କର ଭାବେ ଲାଗିିଛି ନିଆଁ ।

ଗତ ୨୪ ଘଣ୍ଟା ମଧ୍ୟରେ ସାଟେଲାଇଟ୍ ଦ୍ୱାରା ଉତ୍ତୋଳିତ ଚିତ୍ରରେ ନିଆଁ ଜଳୁଛି କିମ୍ବା ଘନ ଗରମ ଧୂଆଁରେ ଅନେକ ଅଞ୍ଚଳ ଆଚ୍ଛନ୍ନ ହୋଇଯାଇଥିବା ଦେଖିବାକୁ ମିଳୁଛି । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ଅଭ୍ୟନ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଅତି ସାଂଘାତିକ ହୋଇଛି ସ୍ଥିତି ।

ଅନ୍ୟପଟେ ଓଡ଼ିଶାର ସ୍ଥିତି ମଧ୍ୟ ସଂଗୀନ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳୁଥିବାର ଚିତ୍ର ସାମନାକୁ ଆସିଛି । ନାସାର ଫଟୋ କହୁଛି, ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥିତି ଅଧିକ ଗମ୍ଭୀର ହେଉଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲର ନିଆଁ ପରିସ୍ଥିତିକୁ ଆହୁରି ଜଟିଳ କରିଛି ।

ସୂଚନାଯୋଗ୍ୟ ଯେ, ତାପମାତ୍ରା ବଢ଼ୁଥିବା ବେଳେ ଜଙ୍ଗଲ ନିଆଁରେ ସାରା ଦେଶ ସନ୍ତୁଳି ହେଉଛି । ତେବେ ମେ’ ପ୍ରଥମ ସପ୍ତାହରେ କାଳବୈଶାଖୀ ଓ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି ।