ପୂଜା ପଣ୍ଡା ଓ ବଡୁ ନିଯୋଗ ଆଲୋଚନା ପରେ ବାହାରିଲା ସମାଧାନର ରାସ୍ତା : ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ୍

77

କନକ ବ୍ୟୁରୋ : ପୂଜା ପଣ୍ଡା ଓ ବଡୁ ନିଯୋଗ ଆଲୋଚନା ପରେ ବାହାରିଲା ସମାଧାନର ରାସ୍ତା । ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ଚାଲିଛି । ଭୋରରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ପୂଜା ପଣ୍ଡା ଓ ବଡୁ ନିଯୋଗର ବିବାଦ ଯୋଗୁ ୨ ଦିନ ଧରି ଅଖିଆ ଓ ଅପୂଜା ଥିଲେ ମହାପ୍ରଭୁ । ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଥିଲା ।

ପୂଜା ପଣ୍ଡା ତିନିଟି ପଇତା ଲାଗି କରିଥାନ୍ତି । କିନ୍ତୁ ବଡୁ ନିଯୋଗ ଏହାକୁ ବିରୋଧ କରିଥିଲେ । ପୂଜା ପଣ୍ଡା ଗୋଟିଏ ଏବଂ ବଡୁ ନିଯୋଗ ଦୁଇଟି ପଇତା ମହାପ୍ରଭୁଙ୍କୁ ଲାଗି କରିବେ ବୋଲି ଦାବି କରିଥିଲେ । ଏହାକୁ ନେଇ ୨୦୨୦ରୁ ବିବାଦ ଲାଗି ରହିଛି । ମଙ୍ଗଳବାର ମଧ୍ୟ ଏପରି ବିବାଦ ଉପୁଜିବାରୁ ସଂଧ୍ୟା ଧୂପରୁ ନୀତି ବନ୍ଦ ରହିଥିଲା । ଗତକାଲି ମଧ୍ୟ କୌଣସି ନୀତିକାନ୍ତି ହୋଇନଥିଲା ।

ପବିତ୍ରାରୋପଣ ନୀତି ଅନୁଯାୟୀ ପ୍ରତିବର୍ଷ ଠାକୁରଙ୍କୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ୩ପଟ ପଇତା ଲାଗି କରାଯାଏ । ପରେ ୨୪ପଟ ବଡ଼ୁ ନିଯୋଗ ପକ୍ଷରୁ ପଇତା ଲାଗି କରାଯାଏ । ହେଲେ ପବିତ୍ରାରୋପଣର ପଇତା ଶୁଦ୍ଧିକୁ ନେଇ ମଙ୍ଗଳବାର ରାତିରେ ହୋଇଥିଲା ସେବାୟତଙ୍କ ମଧ୍ୟରେ ବିବାଦ। ମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ବଡ଼ୁ ସେବାୟତମାନେ ପଇତା ଧୋଇବାକୁ ଗଲେ ନାହିଁ ।

ପ୍ରତିବର୍ଷ ବଡୁ ସେବାୟତ ପଇତାକୁ ଧୋଇବାକୁ ଯାଉଥିବା ବେଳେ ମଙ୍ଗଳବାର ଦିନ ଏହି ନୀତି କରିବାକୁ ମନାକରିଥିଲେ । ଏନେଇ ମନ୍ଦିର ପ୍ରଶାସନର କର୍ମଚାରୀ ପାଳିଆ ବଡ଼ୁଙ୍କୁ ପଚାରିଥିଲେ। ହେଲେ ବଡ଼ୁ ନିଯୋଗ ପ୍ରତିନିଧି କହିଥିଲେ ଯେ, ଆମେ ପଇତା ଧୋଇବା ପାଇଁ କେଉଁଠି ଲେଖା ଅଛି ଦେଖାନ୍ତୁ । ସେପଟେ ପୂଜାପଣ୍ଡା ସେବାୟତ ଅଧିବାସ ପୂଜା ଓ ହୋମ କରିବା ନୀତି କରିନଥିଲେ ।