ସମ୍ବଲପୁର ସ୍ଥିତି ନେଇ ପୋଲିସ ଡିଜିଙ୍କ ପ୍ରତିକ୍ରିୟା: କହିଲେ, ସ୍ଥିତି ଭଲ ଆଡକୁ ଗତି କରୁଛି, ହେଲେ କର୍ଫ୍ୟୁ ବଳବତ୍ତର ରହିବ

237

କନକ ବ୍ୟୁରୋ: ସମ୍ବଲପୁର ସ୍ଥିତି ନେଇ ପୋଲିସ ଡିଜିଙ୍କ ପ୍ରତିକ୍ରିୟା । କହିଲେ, ସ୍ଥିତି ଭଲ ଆଡକୁ ଗତି କରୁଛି । ହେଲେ କର୍ଫ୍ୟୁ ବଳବତ୍ତର ରହିବ । ଇଣ୍ଟରନେଟ ସେବା ବି ବନ୍ଦ ରହିବ । ପୋଲିସ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଉତେଜନା ଭିତରେ ଆଜି ସମ୍ବଲପୁରରେ ପହଂଚିଛନ୍ତି ପୁଲିସ ଡିଜି । ପୋଲିସ ଡିଜି ସୁନୀଲ ବଂଶଲ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଯାଇଛନ୍ତି । ତାଙ୍କ ସହ ଆଇନଶୃଂଖଳା ଏଡିଜି ରାଧାକ୍ରିଷ୍ଣ ଶର୍ମା, ଗୁଇନ୍ଦା ଏଡିଜି ସଞ୍ଜିବ ପଣ୍ଡା ଡିଜିଙ୍କ ସହ ସମ୍ବଲପୁର ଯାଇଛନ୍ତି । ସେଠାରେ ସ୍ଥିତିର ସମୀକ୍ଷା କରିବା ସହ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । କେମିତି ସହରରେ ସ୍ୱାଭାବିକ ସ୍ଥିତି ଫେରିବ ସେ ନେଇ ଆଲୋଚନା କରିଛନ୍ତି ।

ସେପଟେ ସମ୍ବଲପୁର ସହରରେ କଫ୍ରୁ୍ର୍ୟ ଭିତରେ କଟକଣାକୁ କୋହଳ କରିଛି ପ୍ରଶାସନ । ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବ ଘୋଷଣା ଅନୁସାରେ, କଟକଣାକୁ ୨ଘଂଟା କୋହଳ କରିଛି ପ୍ରଶାସନ । ଅପରାହ୍ଣ ସାଢ଼େ ୩ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ଏହି ସମୟରେ ସାଧାରଣ ଲୋକ ଘରୁ ପଦାକୁ ବାହାରି ସେମାନଙ୍କ ଆବଶ୍ୟକ ଜିନିଷ କିଣିପାରିବେ ଏବଂ ଜରୁରୀ କାର୍ଯ୍ୟ କରିପାରିବେ । ତେବେ ଏହି ସମୟରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତା ଉପରେ ସତର୍କ ନଜର ରଖିଛି ପୋଲିସ ପ୍ରଶାସନ । ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ସମୟରେ, ଦିନକୁ ଦୁଇଥର କଟକଣା କୋହଳ ହେବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପ୍ରଶାସନର ନିଷ୍ପତି ଅନୁସାରେ, ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଜରୁରୀ କାମ ପାଇଁ ବାହାରକୁ ବାହାରିପାରିବେ ଲୋକେ । କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁ କିଛି ବନ୍ଦ ରହିବ । ସେହିପରି ଟ୍ରେନ ଯାତ୍ରୀ ଓ ବିମାନ ଯାତ୍ରୀ, ଟିକେଟ ଦେଖାଇ ଯାଇପାରିବେ । ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ୨୪ ଘଂଟିଆ ହେଲପଲାଇନ ନଂବର ଜାରି କରାଯାଇଛି । ହେଲପ ଲାଇନ ନଂବର ହେଉଛି ୭୬୫୫୮୦୦୭୬୦ । ତେବେ କୋହଳ ସମୟ ବ୍ୟତିତ ସାଧାରଣ ଲୋକ ଅନ୍ୟ ସମୟରେ ପଦାକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇଛି ।