ସମ୍ବଲପୁରରେ ଅପରାହ୍ଣରେ ୨ଘଣ୍ଟା ପାଇଁ କୋହଳ ହେଲା କର୍ଫ୍ୟୁ: ସାଢେ ୩ଟାରୁ ସାଢେ ୫ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କଲେ ଲୋକେ

85

କନକ ବ୍ୟୁରୋ: ସମ୍ବଲପୁର ସୀମା ସିଲ୍ । ଉତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲା ସୀମା ସିଲ୍ କଲା ପ୍ରଶାସନ । ଜିଲ୍ଲା ଭିତରକୁ ଯେମିତି କୌଣସି ଅସାମାଜିକ ତତ୍ୱ ପ୍ରବେଶ ନକରି ପାରିବେ ସେଥିପାଇଁ ଅଧିକ ଫୋର୍ସ ମୂତୟନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଳପୁର ଏସପି । ଏଥିସହ ଜିଲ୍ଲା ଭିତରେ ଶାନ୍ତି ବଜାୟ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।.. ଗତ ରାତିରୁ ସମ୍ବଲପୁରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛି ପ୍ରଶାସନ । ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡକୁ ଆଖିରେ ରଖି କଡା ପଦକ୍ଷେପ ନେଇଛି ପ୍ରଶାସନ । ପରବର୍ତି ଆଦେଶ ନ ଆସିବା ଯାଏଁ ସହରରେ କର୍ଫ୍ୟୁ କଟକଣା ବଳବତର ରହିବ ।

ସମ୍ବଲପୁର ସହରର ୬ଟି ଥାନା ଅଂଚଳରେ କର୍ଫ୍ୟୁ ଜାରି କରାଯାଇଛି । ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠାପାଲି ଥାନା, ବରେଇପାଲି ଥାନା ଓ ସଦର ଥାନା ଅଂଚଳରେ କର୍ଫ୍ୟୁ କଟକଣା ଜାରି ରହିବ । ସ୍ଥିତିରେ ସୁଧାର ନ ଆସିବା ଯାଏଁ କର୍ଫ୍ୟୁ ଜାରି ରହିବ । ସାଧାରଣ ଜନତା, କୌଣସି ବ୍ୟକ୍ତି ଘରୁ ନବାହାରିବା ପାଇଁ ପ୍ରଶାସନ ତାଗିଦ କରିଛି । ସହରରେ କଫ୍ରୁ୍ର୍ୟ ଭିତରେ କଟକଣାକୁ କୋହଳ କରିଛି ପ୍ରଶାସନ । ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବ ଘୋଷଣା ଅନୁସାରେ, କଟକଣାକୁ ୪ଘଂଟା କୋହଳ କରିଛି ପ୍ରଶାସନ । ସକାଳ ୮ଟାରୁ ୧୦ ଏବଂ ଅପରାହ୍ଣ ସାଢ଼େ ୩ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ଏହି ସମୟରେ ସାଧାରଣ ଲୋକ ଘରୁ ପଦାକୁ ବାହାରି ସେମାନଙ୍କ ଆବଶ୍ୟକ ଜିନିଷ କିଣାକିଣି କରିଛନ୍ତି । ଏଥିସହ ୧୭ତାରିଖ ପର୍ଯ୍ୟନ୍ତ ଇଂଟରନେଟ ସେବା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ୧୩ ତାରିଖ ସକାଳ ୧୦ଟାରୁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଇଂଟରନେଟ ସେବା ୪୮ ଘଂଟା ପାଇଁ ବନ୍ଦ କରାଯାଇଥିଲା । ଏସବୁ ସତ୍ୱେ ସମ୍ବଲପୁରରେ ହିଂସା ଥମିନାହିଁ, ଅରାଜକତା ସୃଷ୍ଟି ହୋଇଛି । ବ୍ୟାପକ ପୋଡାଜଳା ହେଉଛି । ଏହାକୁ ଦୃଷ୍ଟିରେ ରଖି ଇଂଟରନେଟ୍ ବନ୍ଦ ଅବଧିକୁ ବୃଦ୍ଧି କରିଛନ୍ତି ସରକାର ।

ଉତେଜନା ଭିତରେ ସମ୍ବଲପୁରରେ ପୋଲିସ ଡିଜି ସୁନୀଲ ବଂଶଲ ପହଂଚି ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଦିନେ ଦୁଇଦିନ ଭିତରେ ସ୍ଥିତିରେ ସୁଧାର ଆସିପାରେ । କର୍ଫ୍ୟୁ ସମୟରେ ସହଯୋଗ ପାଇଁ ଲୋକଙ୍କୁ ଅପିଲ କରିବା ସହ ପୋଲିସ ସ୍ଥିତି ଉପରେ ତିକ୍ଷ୍ନ ନଜର ରଖିଥିବା ସେ କହିଛନ୍ତି । କାଲିର ପରୀକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ପରୀକ୍ଷାକୁ ଦୃଷ୍ଟିରେ ରଖି କଟକଣା କୋହଳ ହୋଇପାରେ । ଶାନ୍ତି ଶୃଂଖଳା ବଜାୟ ରଖିବାକୁ ପଦକ୍ଷେପ ନିଆଯାଉଛି । ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ କରାଯାଇଥିବା କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।