ଦେଶୀ ମଦ କାରବାର ପାଇଁ ଘର ସହ ସଂଯୋଗ କରୁଥିଲା ସୁଡଙ୍ଗ : ସାଲିଆସାହିରେ ପୋଲିସର ରେଡ୍ ବେଳେ ସାମ୍ନାକୁ ଆସିଲା ଚିତ୍ର

79

କନକ ବ୍ୟୁରୋ : ଦେଶୀ ମଦ କାରବାର ପାଇଁ ଘର ସହ ସଂଯୋଗ ହୋଇଥିଲା ସୁଡଙ୍ଗ । ଭୁବନେଶ୍ୱର ସାଲିଆ ସାହି ବସ୍ତିରେ କମିସନରେଟ ପୁଲିସର ଚଢାଉ ବେଳେ ରହସ୍ୟଜନକ ସୁଡଙ୍ଗ ଦେଖିବାକୁ ମିଳିଛି । ଘର ଭିତରୁ ଆଉ ଏକ ଗୁପ୍ତ କଠୋରୀକୁ ଯିବା ପାଇଁ ଏହି ଅଣ ଓସାରିଆ ସୁଡଙ୍ଗକୁ ବ୍ୟବହାର କରାଯାଉଥିଲା । ଯେଉଠି ପ୍ରସ୍ତୁତ ହେଉଥିଲା ପୋଚ ଓ ରନ୍ଧା ଯାଉଥିଲା ଦେଶୀ ମଦ । ପୁଲିସକୁ ଧୁଳି ଦେଇ ପୋଚ ଓ ମଦ ତିଆରି କରିବା, ଚଢାଉ ବେଳେ ପୁଲିସ ଆଖିରେ ଧୂଳି ଦେଇ ଖସିଯିବାକୁ ତିଆରି ହୋଇଥିଲା ଏହି ସୁଡଙ୍ଗ ।

ବଡ କଥା ହେଉଛି, ଏହି ସୁଡଙ୍ଗ ମୁହଁରେ କୌଣସି ଆସବାବପତ୍ର ରଖିଦେଲେ, ଘର ଭିତରେ ଯେ ଆଉ ଏକ ଗୁପ୍ତ କଠୋରୀ ଅଛି ତାର ଟେର ପାଇବା ମୁସ୍କିଲ । ଗତକାଲି ନିଶା ବେପାରୀଙ୍କୁ ସାବାଡ କରିବା ପାଇଁ ସାଲିଆ ସାହିରେ ବଡ ଧରଣର ଚଢାଉ କରିଥିଲା କମିସନରେଟ ପୁଲିସ । ଆଉ ଚଢାଉ ବେଳେ ଜଣେ ଦେଶୀ ମଦ ବେପାରୀଙ୍କ ଘରେ ସୁଡଙ୍ଗ ଦେଖି ପୁଲିସ କର୍ମଚାରୀ ତାଜୁବ ହୋଇଯାଇଥିଲେ । ସୁଡଙ୍ଗରେ ଥରକରେ ଜଣେ ବ୍ୟକ୍ତି ନଇଁକି ପଶି ପାରିବ । ପୁଲିସ କର୍ମଚାରୀମାନେ ନଇଁ ନଇଁ ଜଣେ ପରେ ଜଣେ ସୁଡଙ୍ଗ ଦେଇ ଗୁପ୍ତ କଠୋରୀରେ ପହଂଚି ମଦ ଓ ପୋଚର ଭଣ୍ଡାର ଦେଖି ଚକିତ ହୋଇଯାଇଥିଲେ ।

ଏହାପରେ ସମସ୍ତ ପୋଚ ଓ ମଦକୁ ନଷ୍ଟ କରି ଦିଆଯାଇଛି । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ପୁଲିସ ସାଲିଆ ସାହିରେ ଚଢାଉ କରି ପ୍ରାୟ ୫୦ ମଦଭାଟି ଭାଙ୍ଗିବା ସହ ବିପୁଳ ପରିମାଣର ଦେଶୀ ମଦ ଓ ପୋଚକୁ ନଷ୍ଟ କରିଛି ।ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ୭ ଜଣ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ସେମାନଙ୍କୁ ନୋଟିସ ଦେଇ ନୂଆପଲ୍ଲୀ ଥାନା ପୁଲିସ ଛାଡି ଦେଇଛି ।