ଭାରତୀୟ ସେନାରୁ ହଟିବ ଔପନିବେଶବାଦର ପ୍ରତୀକ : ବଦଳିବ ରେଜିମେଣ୍ଟ ଓ ପୁରସ୍କାରର ନାଁ

92

କନକ ବ୍ୟୁରୋ : ଭାରତୀୟ ସେନା ବ୍ରିଟଶ ଅମଳରୁ ଚାଲି ଆସୁଥିବା ନିୟମ ବଦଳାଇବା ଉପରେ ବିଚାରବିମର୍ଶ କରୁଛି । ବ୍ରିଟିଶ ଔପନିବେଶବାଦର ସମସ୍ତ ପ୍ରତୀକ ସେନାବାହିନୀରୁ ହଟାଇବା ପାଇଁ ଏବେ ସମୀକ୍ଷା ଚାଲିଛି । ଭାରତୀୟ ନୌସେନା ଇଂରେଜଙ୍କ ପ୍ରତୀକ ଭିକ୍ଟୋରିଆ କ୍ରସ ହଟାଇବା ପରେ ଏବେ ଭାରତୀୟ ସେନା ବ୍ରିଟିଶ ସାମ୍ରାଜ୍ୟବାଦର ସମସ୍ତ ପ୍ରତୀକକୁ ହଟାଇବା ପାଇଁ ଅଭିଯାନ ଆରମ୍ଭ କରିଛି । ଏବେ ସେନା ପକ୍ଷରୁ ବ୍ୟାପକ ଭାବେ ଇଂଟରନାଲ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି । ସର୍ଭେ ରିପୋର୍ଟ ଆସିବା ପରେ ବ୍ରିଟିଶକାଳୀନ ପ୍ରତୀକକୁ ହଟାଇ ଦିଆଯିବ ।

ଗଣମାଧ୍ୟମର ଖବର ଅନୁସାରେ ସ୍ଥଳସେନାଧ୍ୟକ୍ଷ ମନୋଜ ପାଣ୍ଡେ ଇଂରେଜ ଶାସନ ସମୟରୁ ଭାରତୀୟ ସେନାରେ ଚାଲି ଆସୁଥିବା ପ୍ରତୀକ, ନାମ ଓ ଆଇନକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଅନୁସାରେ ସେନାର ବହୁ ରେଜିମେଂଟ ଓ ୟୁନିଟରେ ବ୍ରିଟିଶକାଳୀନ ପରମ୍ପରାକୁ ପାଳନ କରାଯାଇଥାଏ । ସେସବୁ ୟୁନିଟରେ ୟୁନିଫର୍ମ, ନୀତି ନିୟମ ମଧ୍ୟ ଇଂରେଜ ଭାରତରେ ଶାସନ କରୁଥିବା ସମୟର । ଏହାଛଡା ଏକାଧିକ ସୈନ୍ୟ ସଂସ୍ଥା, ଅଟ୍ଟାଳିକା, ସଡକ, ମଧ୍ୟ ଇଂରେଜ ଅଧିକାରୀଙ୍କ ନାଁରେ ରହିଛି ।

ଏବେ ସେସବୁକୁ ଗୋଟି ଗୋଟି କରି ବଦଳାଇ ଦିଆଯିବ । ସେହିପରି ଭାରତୀୟ ସେନାରେ ଏବେ କିଛି ଏପରି ପୁରସ୍କାର ବ୍ରିଟଶ ଅମଲରୁ ଚାଲି ଆସୁଛି । ସେହି ପୁରସ୍କାର ଇଂରେଜ ସରକାର ସେମାନଙ୍କୁ ଦେଉଥିଲେ, ଯେଉଁମାନେ ଭାରତର ସ୍ୱାଧୀନତା ସଂଗ୍ରାମକୁ ଭଣ୍ଡୁର କରିବାରେ ସହଯୋଗ କରୁଥିଲେ । ଏବେ ସେହି ପୁରସ୍କାର ବନ୍ଦ କରିଦିଆଯିବ ନଚେତ ନାଁ ବଦଳେଇ ଭାରତୀୟ ସ୍ୱାଧିନତା ସଂଗ୍ରାମୀଙ୍କ ନାଁରେ ନାମିତ କରାଯିବ । ଅଫିସର୍ସ ମେସରେ ବ୍ରିଟିଶକାଳୀନ ପରମ୍ପରା, ସେନା ୟୁନିଟର ପତାକା, ୟୁନିଟର ନାମ ସହ ଧ୍ୱଜାବତରଣ ଉତ୍ସବର ନାମ ମଧ୍ୟ ବଦଳାଇବାକୁ ସମୀକ୍ଷ ହେଉଛି ।