ବର୍ଣ୍ଣବୋଧ ପୋଡା ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ପଦ୍ମଶ୍ରୀ ହଳଧର ନାଗଙ୍କ ପ୍ରତିକ୍ରିୟା; କହିଲେ- ମୋ ଫଟୋ ଦେଖାଇ ଏପରି କାର୍ଯ୍ୟ କରିଥିବା ଲୋକଙ୍କୁ ମୁଁ ଧିକ୍କାର କରୁଛି

866

କନକ ବ୍ୟୁରୋ: ୨୦୧୮ ମସିହାରେ ଏକ ୟୁଟ୍ୟୁବ ଚାନେଲରେ ପୋଷ୍ଟ ହୋଇଥିବା ଓଡ଼ିଆ ବର୍ଣ୍ଣବୋଧ ପୋଡିର ଲିଙ୍କକୁ ‘କୋଶଲି ସାହିତ୍ୟ ଡଟ୍ ଇନ୍’ର ଫେସବୁକ୍ ପେଜରେ ସେୟାର କରାଯିବା ପରେ ସୋସିଆଲ୍ ମିଡିଆରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଫେସବୁକ୍ ପେଜର ଏହି ପୋଷ୍ଟରେ ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋ ସ୍ଥାନୀତ ଥିଲା । ଫଳରେ ଏହି ଘଟଣା ବିବାଦୀୟ ହୋଇଥିଲା । ଆଜି ଏହାକୁ ନେଇ ମତ ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ସେ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ଫଟୋ ଦେଖାଇ ଯେଉଁମାନେ ଓଡ଼ିଆ ବର୍ଣ୍ଣବୋଧକୁ ପୋଡିଛନ୍ତି ସେମାନଙ୍କୁ ମୁଁ ଧିକ୍କାର କରୁଛି ।

ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋକୁ ବ୍ୟବହାର କରି ଓଡ଼ିଆ ଭାଷାର ଅସ୍ମିତା ଓ ପରିଚୟକୁ ବଖାଣୁଥିବା ବର୍ଣ୍ଣବୋଧ ପୋଡିର ଭିଡିଓ ସେୟାର କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି । ପୁରୁଣା ବର୍ଣ୍ଣବୋଧ ପୋଡୁଥିବାର ଭିଡିଓକୁ ଏବେ ପୋଷ୍ଟ କରି ଓଡ଼ିଆ ଭାଷାର ମହାନତାକୁ କୁଠାରାଘାତ କରାଯାଇଛି ଯାହାକୁ ନେଇ ମୁହଁ ଖୋଲିଛନ୍ତି ହଳଧର ନାଗ । ହଳଧର କହିଛନ୍ତି ଯେ ତାଙ୍କ ଫଟୋ ଦେଖାଇ ଯେଉଁମାନେ ଓଡ଼ିଆ ବର୍ଣ୍ଣବୋଧକୁ ପୋଡିଛନ୍ତି ସେମାନଙ୍କୁ ସେ ଧିକ୍କାର କରୁଛନ୍ତି।

ଫେସବୁକ କ‘ଣ ସେ ଜାଣି ନଥିବାବେଳେ ତାଙ୍କ ଫଟୋ ବ୍ୟବହାର କରାଯିବା ଘଟଣାକୁ ସେ ନିନ୍ଦା କରୁଛନ୍ତି ବୋଲି ମତ ରଖିଛନ୍ତି । ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପ୍ରତିବାଦ ହେବା ପରେ ଭିଡିଓ ପୋଷ୍ଟ କରିଥିବା ୟୁଟ୍ୟୁବ ଚ୍ୟାନେଲ ପକ୍ଷରୁ ଭିଡିଓକୁ ହଟାଇ ଦିଆଯାଇଛି । ସେହିପରି ସେହି ଭିଡିଓକୁ ପୋଷ୍ଟ କରିଥିବା ଫେସବୁକ ପେଜରୁ ମଧ୍ୟ ହଳଧରଙ୍କ ଫଟୋକୁ ହଟାଇଦିଆଯାଇଛି ।

ଏଠାରେ ସୂଚନା ଥାଉ କି ୨୦୧୮ ଅଗଷ୍ଟ ୨୬ ତାରିଖରେ ‘ବେନି’ ନାମକ ୟୁଟ୍ୟୁବ୍ ଚାନେଲରେ ଭିଡିଓ ତଳେ ଓଡ଼ିଆ ଭାଷାକୁ ନିନ୍ଦା କରାଯାଇ ଲେଖା ଥିବା ବେଳେ ଭିଡିଓରେ କେହି ଜଣେ ମଧୁସୂଦନ ରାଓଙ୍କ ଓଡ଼ିଆ ବର୍ଣ୍ଣବୋଧକୁ ପୋଡ଼ୁଥିଲା । ତେବେ ସେହି ଭିଡିଓଟିକୁ ‘କୋଶଳି ସାହିତ୍ୟ ଡଟ୍ ଇନ୍’ ନାମକ ଅନ୍ୟ ଏକ ଫେସବୁକ୍ ପୃଷ୍ଠାରେ ଗତକାଲି ସେୟାର କରାଯାଇଥିଲା, ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।