ପାକିସ୍ତାନକୁ ଆଉ ଏକ ଝଟକା : ଆର୍ଥିକ ସାହାଯ୍ୟ ଅଧା କରିଦେଲା ଆମେରିକା

791

କନକ ବ୍ୟୁରୋ : ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନ ଦେଶ ହିତ ଚିନ୍ତା ନକରି ଭାରତର ଅନ୍ତରୀଣ ମାମଲାରେ ଅଯଥା ମୁଣ୍ଡ ପୁରାଉଛି । ଲୋକେ ଖାଇବାକୁ ପାଉନାହାନ୍ତି ହେଲେ କାଶ୍ମୀରବାସୀଙ୍କ ପ୍ରେମ ଦେଖେଇ ହେଉଛି ପାକିସ୍ତାନ । ୩୭୦ ଉଚ୍ଛେଦ ପରେ ଇମ୍ରାନ ସରକାରଙ୍କ ବେଶୀ ମୁଣ୍ଡବ୍ୟଥା ହେଉଛି । କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଆଜି ସଂଧ୍ୟାରେ ରୁଦ୍ଧଦ୍ୱାର ବୈଠକ ପାଇଁ ସ୍ଥିର ହୋଇଛି । ହେଲେ ପ୍ରଥମରୁ ପାକିସ୍ତାନକୁ ଲାଗିଛି ଝଟକା । ଜାତିସଂଘ ସୁରକ୍ଷା ପରିଷଦରେ ୫ ସ୍ଥାୟୀ ସଦସ୍ୟ ରହିଥିବାବେଳେ ୧୦ ଅସ୍ଥାୟୀ ସଦସ୍ୟ ଅଛନ୍ତି । ୫ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ କେବଳ ଚୀନକୁ ବାଦଦେଲେ ଅନ୍ୟ କାହାରି ସମର୍ଥନ ପାକିସ୍ତାନକୁ ମିଳିନାହିଁ । କାରଣ କାଶ୍ମୀର ପ୍ରସଙ୍ଗ ଉଭୟ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ କହି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଆମେରିକା, ରୁଷ, ବ୍ରିଟେନ ଓ ଫ୍ରାନ୍ସ ।

ଅନ୍ୟପଟେ ପାକିସ୍ତାନକୁ ଆଉ ଏକ ଝଟକା ଦେଇଛି ଆମେରିକା । ଆମେରିକା କେରୀ ଲୁଗର ବର୍ମନ ଆକ୍ଟ ଅନୁସାରେ ପ୍ରଦାନ କରୁଥିବା ଆର୍ଥିକ ସାହାଯ୍ୟକୁ ଅଧା କରିଦେଇଛି । ପ୍ରାୟ ୯ ବର୍ଷ ହେବ ଏହି ଆକ୍ଟ ଅନୁସରେ ପାକିସ୍ତାନକୁ ପ୍ର୍ରଦାନ କରାଯାଉଥିବା ଆର୍ଥିକ ସାହାଯ୍ୟକୁ ୪୪ କୋଟି ଡଲାରକୁ କମେଇ ଦେଇଛନ୍ତି ଟ୍ରମ୍ପ ପ୍ରଶାସନ । ଆର୍ଥିକ ସାହାଯ୍ୟ ଅଧା ହେବାପରେ ପାକିସ୍ତାନକୁ ମିଳିବ ୪.୧ ଆରବ ଡଲାର । ପାକିସ୍ତାନ ଏନହାନ୍ସ ଏଗ୍ରିମେଣ୍ଟ ଜରିଆରେ ଇସଲମାବାଦ ୨୦୧୦ରୁ ଏହି ଆର୍ଥିକ ସାହାଯ୍ୟ ହାସଲ କରୁଥିଲା । ଏବେ ଆର୍ଥିକ ସାହାଯ୍ୟ ଅଧା ହେବା ପାକିସ୍ତାନ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିବ ।

ତେବେ ଆମେରିକାର ଏପରି ପଦକ୍ଷେପ ପରେ ପାକିସ୍ତାନ ସଫେଇ ଦେଇଛି, କେବଳ ଆମ ଦେଶ ନୁହେଁ ବିକାଶଶୀଳ ଦେଶ ଗୁଡ଼ିକୁ ପ୍ରଦାନ କରାଯାଉଥିବା ସାହାଯ୍ୟ କମ କରିବା ପାଇଁ ରଣନୀତି କରୁଛନ୍ତି ଟ୍ରମ୍ପ ସରକାରୀ ।