ସହିଦ ପରିବାର ପାଇଁ ଶେଷ ସାହାରା ସାଜିଥିଲା ଝାଟିମାଟି ଝୁପୁଡ଼ି ଘର : ସାହାଯ୍ୟ କଲେନି ସରକାର, ଚାନ୍ଦା କରି ଘର ତିଆରି କଲେ ଗ୍ରାମବାସୀ

500

କନକ ବ୍ୟୁରୋ : ଦେଶ ମାତୃକା ପାଇଁ ଶତ୍ରୁ ସହ ଅହରହ ଲଢ଼େଇ କରନ୍ତି ଯବାନ । ଭାରତର ବୀର ପୁତ୍ରମାନେ ଜୀବନକୁ ଖାତିର ନକରି ପରିବାରକୁ ପରକରି ହସିହସି ପ୍ରାଣବଳୀ ଦିଅନ୍ତି । ହେଲେ ତାଙ୍କ ଅନୁପସ୍ଥିତିରେ ତାଙ୍କ ପରିବାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ କେହି ନଥାନ୍ତି । ଦେଶ ପାଇଁ ଗୌରବ ଅର୍ଜନ କରିଥିବା ଯବାନଙ୍କ ପରିବାର ଅବହେଳିତ ଜୀବନ ବିତାଇବାକୁ ବାଧ୍ୟ ହୁଅନ୍ତି । ହେଲେ ମଧ୍ୟପ୍ରଦଶ ଦିଗାଲପୁରର ପୀର ପିପଲିଆ ଗାଁରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ । ସରକାରଙ୍କ ଅବହେଳା ପରେ ସହିଦ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଗ୍ରାମବାସୀ ।

ପୀର ପିପଲିଆ ଗାଁର ବାସିନ୍ଦା ହାବିଲଦାର ମୋହନ ସିଂ ସୁନେର ତ୍ରିପୁରାରେ ଆତଙ୍କବାଦୀ ସହ ଲଢ଼ି ସହିଦ ହୋଇଥିଲେ । ଏକମାତ୍ର ରୋଜଗାରିଆ ପୁଅକୁ ହରାଇଥିଲା ପରିବାର । ତା’ ପର ଠାରୁ ଆରମ୍ଭ ହୋଇଥିଲା ସହିଦ ପରିବାରର ସଂଘର୍ଷ । ସୀମା ସୁରକ୍ଷା ବଳରେ ମୁତୟନ ଥିବା ମୋହଲ ଲାଲଙ୍କ ପରିବାର ମଜୁରୀ କରି ପେଟ ପୋଷିବା ଆରମ୍ଭ କଲେ । ୨୭ ବର୍ଷ ପର୍ଯ୍ୟନ୍ତ ଅତି ଦୟନୀୟ ଅବସ୍ଥାରେ ମାଟି ଘରେ ବାସ କରୁଥିଲେ । ସରକାରଙ୍କ ପାଖରେ ବାରମ୍ବାର ଗୁହାରୀ କଲେ ମଧ୍ୟ କିଛି ସୁଫଳ ମିଳିନଥିଲା ।ମାତ୍ର ୭୦୦ ଟଙ୍କାର ପେନସନ ତିନି ପ୍ରାଣୀ କୁଟୁମ୍ବ ଚଳାଇବା ପାଇଁ ମୁସ୍କିଲ ହେଉଥିଲା ।

ସହିଦ ପରିବାରର ଏପରି ଅବସ୍ଥା ଦେଖି ଗାଁର ଯୁବକମାନେ ଏକ ଅଭିଯାନ ଆରମ୍ଭ କରିଥିଲେ । କିଛି ଦିନ ପୂର୍ବରୁ ଗ୍ରାମାବସୀ ଚାନ୍ଦା କରି ୧୧ ଲକ୍ଷ ଟଙ୍କା ଜମା କରି, ସେହି ଟଙ୍କାରେ ଘର ତିଆରି କରିଥିଲେ । ଆଉ ଗତକାଲି ସହିଦଙ୍କ ପତ୍ନୀଙ୍କୁ ରାକ୍ଷୀପୂର୍ଣ୍ଣିମା ଉପହାର ସ୍ୱରୂପ ନୂଆଘର ପ୍ରଦାନ କରିଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ସହିଦ ପତ୍ନୀଙ୍କ ଗୃହପ୍ରବେଶ ବେଶ ନିଆରା ଢ଼ଙ୍ଗରେ କରାଇଥିଲେ ଗ୍ରାମବାସୀ । ସମସ୍ତଙ୍କ ହାତ ଉପରେ ସବାର ହୋଇ ଗୃହପ୍ରବେଶ କରିଥିଲେ ସହିଦଙ୍କ ପତ୍ନୀ । ଯାହା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।