ଚର୍ଚ୍ଚା ବଢାଇଲା ଧୋନୀଙ୍କ ଫେସବୁକ୍ ପୋଷ୍ଟ । ନୂଆ ରୋଲରେ ନଜର ଆସିବେ କ୍ୟାପଟେନ୍ କୁଲ୍!

1,714

କନକ ବ୍ୟୁରୋ: ନୂଆ ରୋଲରେ ନଜର ଆସିବେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ନୂଆ ସିଜିନ୍ ସହିତ ନୂଆ ରୋଲରେ ଧୋନୀଙ୍କୁ ଦେଖିବାକୁ ମିଳିବ । ଧୋନୀ ନିଜର ଫେସବୁକ୍ ପୋଷ୍ଟରେ ନିଜର ନୂଆ ରୋଲ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ନୂଆ ସିଜିନରେ ଧୋନୀ କେଉଁ ନୂଆ ରୋଲରେ ନଜର ଆସିବେ ସେ ନେଇ କୌଣସି ବି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । ଯାହାକି ତାଙ୍କ ଫ୍ୟାନ୍ସଙ୍କ ଭିତରେ ଚର୍ଚ୍ଚା ସୃଷ୍ଟି କରିଛି ।

ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ । ସମ୍ଭବତଃ ଧୋନୀ ନିଜର ଫେସବୁକ୍ ପୋଷ୍ଟରେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ଅଧିନାୟକ ଦାୟିତ୍ୱ ସହିତ ଅନ୍ୟ କୌଣସି ନୂଆ ଦାୟିତ୍ୱ ଦେଇପାରେ ବୋଲି କ୍ରିକେଟ୍ ଫ୍ୟାନ୍ସମାନେ ଚର୍ଚ୍ଚା କରୁଛନ୍ତି । କୁହାଯାଉଛି ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗସର ମେଣ୍ଟର ନିଯୁକ୍ତ କରିପାରେ ଟିମ୍ ମ୍ୟାନେଜମେଣ୍ଟ । ନଚେତ୍ ଧୋନୀଙ୍କୁ ଅନ୍ୟ କୌଣସି ବଡ ଦାୟିତ୍ୱ ଦେଇପାରେ ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ।

୪୨ ବର୍ଷୀୟ ଧୋନୀ ୨୦୨୦ ମସିହା ଅଗଷ୍ଟ ମାସରେ ଅନ୍ତର୍ଜାତୀୟ କ୍ରିକେଟକୁ ଗୁଡ୍ ବାଏ କହିଥିଲେ । ହେଲେ ଏହାପରେ ବି, ସେ ଆଇପିଏଲ୍ ଖେଳିବା ଜାରି ରଖିଥିଲେ । ତାଙ୍କ କ୍ୟାପଟେନ୍ସିଂରେ ଚେନ୍ନାଇ ସୁପର କିଙ୍ଗସ୍ ଗତ ଥର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଜିତିବା ସହିତ, ୫ମ ଥର ପାଇଁ ଟ୍ରଫି ହାତେଇଥିଲା । ଖାଲି ସେତିକି ନୁହେଁ, ଟୁର୍ଣ୍ଣାମେଣ୍ଟରେ ଧୋନୀଙ୍କ କିପିଙ୍ଗ୍ ଏବଂ କ୍ୟାପଟେନ୍ସିଂକୁ ନେଇ ମଧ୍ୟ ଚର୍ଚ୍ଚା ହେଇଥିଲା । ହେଲେ ଆଇପିଏଲ୍ ନୂଆ ସିଜିନ୍ ଆରମ୍ଭ ହେବାକୁ ଥିବାବେଳେ, ଧୋନୀଙ୍କ ଏହି ପୋଷ୍ଟ କଣ ଇସାରା ଦେଉଛି, ତାକୁ ନେଇ ଏବେ ଚର୍ଚ୍ଚା ଥମିବାର ନାଁ ନେଉନି ।

ଯଦି ଧୋନୀଙ୍କ ଏହି ନୂଆ ରୋଲ୍ ଆଇପିଏଲ୍ ସହ ଜଡିତ ନଥାଏ, ତେବେ ବିସିସିିଆଇ ଧୋନୀଙ୍କୁ ବଡ ଦାୟିତ୍ୱ ଦେଇପାରେ । ଆଗକୁ ଟି-୨୦ ବିଶ୍ୱକପ୍ ହେବାକୁ ଅଛି । ତେଣୁ ଏହା ପୂର୍ବରୁ ଧୋନୀଙ୍କୁ ବଡ ଦାୟିତ୍ୱ ଦେଇପାରେ ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ । କାହିଁକି ନା ଧୋନୀ ହେଉଛନ୍ତି ଏକମାତ୍ର ଅଧିନାୟକ, ଯିଏକି ଭାରତକୁ ଟି-୨୦ ବିଶ୍ୱକପରେ ଚାମ୍ପିୟନ୍ କରିପାରିଥିଲେ । ୨୦୦୭ ମସିହାରେ ପାକିସ୍ତାନକୁ ହରେଇ ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ହେଇଥିଲା ଟିମ୍ ଇଣ୍ଡିଆ । ଆଉ ଏହି ଚାମ୍ପିୟନ୍ ଟିମର କ୍ୟାପଟେନ୍ ଥିଲେ ମହେନ୍ଦ୍ର ସିଂହ ଧୋନୀ । ତେଣୁ ଆଗକୁ ଟି-୨୦ ବିଶ୍ୱକପରେ ନୂଆ ରୋଲରେ ମଧ୍ୟ ନଜର ଆସିପାରନ୍ତି ଧୋନୀ ।

ଧୋନୀଙ୍କ ନାଁରେ ବର୍ତମାନ ତିନୋଟି ଆଇସିସି ଟ୍ରଫି ସହିତ ୫ଟି ଆଇପିଏଲ୍ ଟ୍ରଫି ଜିତିବାର ରେକର୍ଡ ରହିଛି । କ୍ୟାପଟେନ୍ ହିସାବରେ ୨୦୦୭ ଟି-୨୦ ବିଶ୍ୱକପ୍ ସହିତ, ୨୦୧୧ ଦିନିକିଆ ବିଶ୍ୱକପ. ୨୦୧୩ ଚାମ୍ପିୟନ୍ ଟ୍ରଫି ଜିତିବାର ରେକର୍ଡ କରିଛନ୍ତି ଧୋନୀ । ଏହା ସହିତ ଆଇପିଏଲର ୫ଟି ଟ୍ରଫି ମଧ୍ୟ ଧୋନୀଙ୍କ ନାଁରେ ରହିଛି । ତେଣୁ ଧୋନୀଙ୍କ ଏହି ନୂଆ ପୋଷ୍ଟ ଏବେ କଣ ଇସାରା ଦେଉଛି ,ଆଉ କେଉଁ ନୂଆ ରୋଲରେ ଧୋନୀ ନଜର ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।