ଭୁବନେଶ୍ୱରର ବିକାଶ କରିଛି କିଏ? ତେଜିଲା କଥା କଟାକଟି । ଅପରାଜିତାଙ୍କୁ ସିଧା ଟାର୍ଗେଟ କଲେ ନବୀନ । ଖୋଲା ବିତର୍କ ପାଇଁ ଆହ୍ୱାନ ଦେଲେ ଅପରାଜିତା

539

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବାରୁ ଏହି ଆସନକୁ ଦଖଲ କରିବା ପାଇଁ ସବୁ ରାଜନୈତିକ ଦଳ କସରତ ଚଳାଇଛନ୍ତି । ବିଶେଷକରି ବିଜେପି ଓ ବିଜେଡି ଜୋରଦାର କସରତ ଚଳାଇଛନ୍ତି । କିନ୍ତୁ ଏହାରି ଭିତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି ।

  • ଭୁବନେଶ୍ୱରର କିଏ କରିଛି ବିକାଶ?
  • ଅପରାଜିତା ବନାମ ବିଜେଡି

ଦୁଇ ଦିନ ପରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବାକୁ ଯାଉଥିବାବେଳେ ତେଜିଛି ରାଜନୀତି । ଭୁବନେଶ୍ୱରର କିଏ ବିକାଶ କରିଛି? କିଏ ଭୁବନେଶ୍ୱର ବିକାଶରେ ବାଧକ ସାଜିଛି ସେ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଜୋରଦାର ହୋଇଛି ଆରୋପ ପ୍ରତ୍ୟାରୋପ ।

ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅପରାଜିତାଙ୍କୁ ସିଧାସଳଖ ଟାର୍ଗେଟ କରିବା ପରେ ଏହା ଆଲୋଚନାର ବିଷୟ ହୋଇଛି । ସେହିପରି ଖୋର୍ଦ୍ଧା ସଭାରୁ ଭି, କେ. ପାଣ୍ଡିଆନ ମଧ୍ୟ ଅପରାଜିତା ସାଢ଼େ ୪ ବର୍ଷରେ କିଛି କରିନଥିବା ଅଭିଯୋଗ କରି ସମାଲୋଚନା କରିଛନ୍ତି । ଆଉ ମଞ୍ଚ ଉପରୁ ନବୀନ ଟାର୍ଗେଟ କରିବା ପରେ, ଅଭିଯୋଗକୁ ଖଣ୍ଡନ କରିବା ସହ ଖୋଲା ବିତର୍କ ପାଇଁ ପୁଣି ଥରେ ଆହ୍ୱାନ ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ମଙ୍ଗଳବାର ଭିଡିଓ ବାର୍ତ୍ତା ଜାରି କରି ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ମାଗିଥିଲେ ନବୀନ । ଏଥିସହ ସାଂସଦ ଅପରାଜିତା ତାଙ୍କ ସମୟରେ କିଛି କରିନଥିବା କହିଥିଲେ । ଯାହାର ଜବାବରେ ପାଲଟା ପ୍ରଶ୍ନ କରିଥିଲେ ଅପରାଜିତା । ସେ କଣ କାମ କରିଛନ୍ତି କିମ୍ବା କରି ନାହନାହାନ୍ତି ତାଙ୍କର ରିପୋର୍ଟ କାର୍ଡ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ଖାଲି ସେତିକି ନୁହେଁ, ସୋସିଆଲ ମିଡିଆରେ ପୋଷ୍ଟ କରି ଅପରାଜିତା, ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ଆହ୍ୱାନ ଦେଇଥିଲେ ।