ପ୍ରଧାନମନ୍ତ୍ରୀଙ୍କ ପୁରୁଣା ଭିଡିଓ ଭାଇରାଲ: ବାଜିଥିଲା ବାଂସୁରୀ ସ୍ୱରାଜଙ୍କ ନାଁରେ ମୋହର! ୫ବର୍ଷ ପୂର୍ବରୁ ଟିକେଟ ଦେବାକୁ ମୋଦୀ କରିଥିଲେ ମନସ୍ଥ

411

କନକ ବ୍ୟୁରୋ: ନୂଆଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ ବାଂଶୁରୀ ସ୍ୱରାଜ । ବିଜେପି ଦିବଂଗତ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଟିକେଟ ଦେଇଛି । ବର୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଭିଡିଓ ମଧ୍ୟ ବେଶ ଭାଇରାଲ ହେଉଛି । ୫ବର୍ଷ ପୁରୁଣା ଭିଡିଓରେ ବାଂଶୁରୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ସୁଷମାଙ୍କ ଉତରାଧିକାରୀ କହିଥିଲେ । ଚର୍ଚ୍ଚା ହେଉଛି ୫ବର୍ଷ ପୂର୍ବରୁ ହିଁ ବିଜେପି ତାଙ୍କୁ ଟିକେଟ ଦେବା ନେଇ ସ୍ଥିର କରିସାରିଥିଲା ।

ସେହି ଭିଡିଓ ହେଉଛି ୫ବର୍ଷ ପୁରୁଣା । ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଏହା ବେଶ ଭାଇରାଲ ହେବାରେ ଲାଗିଛି । ୧୯୫ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦିଂବଗତ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀ ସ୍ୱରାଜଙ୍କୁ ମଧ୍ୟ ଟିକେଟ ମିଳିଛି । ତାଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନରୁ ଦଳ ପ୍ରାର୍ଥୀ କରିଛି । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବାଂସୁରୀ । ତେବେ ଏହା ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୁଷମା ସ୍ୱରାଜଙ୍କ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ବାଂଶୁରୀଙ୍କ ଖୁବ ପ୍ରଂଶସା କରିଥିଲେ । ମା’ ସୁଷମାଙ୍କ ପରି ବାଂଶୁରୀଙ୍କ ନିକଟରେ ନମ୍ର ସ୍ୱଭାବ, ଧର୍ଯ୍ୟ, ପରାକାଷ୍ଠା, ଦାୟିତ୍ୱବାନ ଗୁଣ ଥିବା କହି ମୋଦୀ ପ୍ରଂଶସା କରିଥିଲେ । ଏଥିସହ ସେ କହିଥିଲେ କି ସୁଷମାଙ୍କ ଉତରାଧିକାରୀଙ୍କୁ ଯତ୍ନର ସହ ଆଗକୁ ବଢ଼ାଇବା ଉଚିତ । ଏହି ପୁୁରୁଣା ଭିଡିଓ ବର୍ତମାନ ଖୁବ ଭାଇରାଲ ହେଉଛି । କୁହାଯାଉଛି ୫ବର୍ଷ ପୂର୍ବରୁ ବାଂଶୁରୀଙ୍କୁ ସକ୍ରିୟ ରାଜନୀତିକୁ ଓହ୍ଲାଇବା ପାଇଁ ମୋଦୀ ବିଚାର କରିଥିଲେ । ତେଣୁ ୨୦୨୪ ନିର୍ବାଚନ ପାଇଁ ତାଙ୍କୁ ଟିକେଟ ଦେବାରେ କୌଣସି ପାତରଅନ୍ତର କରିନାହାଁନ୍ତି ।

ସେପଟେ ଟିକେଟ ପାଇବା ପରେ ବିଜେପି ଓ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ବାଂଶୁରୀ ସ୍ୱରାଜ । ଏଥିସହ କହିଥିଲେ ମା’ଙ୍କ ଆର୍ଶୀବାଦ ସବୁବେଳେ ତାଙ୍କ ସହ ରହିଛି । ତେଣୁ ନିଜକୁ ପ୍ରମାଣିତ କରିବାକୁ ମୌକା ମିଳିଛି ।

ବାଂଶୁରୀ ପେଷାରେ ଜଣେ ଓକିଲ । ୨୦୨୩ରେ ରାଜନୀତିରେ ପ୍ରବେଶ କରିଥିଲେ । ବିଜେପି ତାଙ୍କୁ ଲିଗାଲ ସେଲର ଯୁଗ୍ମ ଆବାହକ ନିଯୁକ୍ତ କରିଥିଲା । ଯେଉଁ ନୂଆଦିଲ୍ଲୀ ଲୋକସଭା ଆସନରୁ ଦିନେ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡବାଣୀ ଲଢ଼ି ଜିତିଥିଲେ ସେହି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ବାଂଶୁରୀଙ୍କୁ ଟିକେଟ ଦେଇ ଦଳ ବଡ ଆସ୍ଥା ପ୍ରକଟ କରିଛି ।