କିଏ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ? ରେସରେ ଅନେକ ଚେହେରା । ସବୁଠୁ ଆଗରେ ଗୌତମ ଗମ୍ଭୀର ।

1,319

କନକ ବ୍ୟୁରୋ: ଆସନ୍ତା ଜୁନରେ ସରୁଛି ଭାରତୀୟ କ୍ରିକେଟ ଟିମ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଟି-୨୦ ବିଶ୍ୱକପ ପରେ ଟିମକୁ ସମ୍ଭାଳିବେ ନୂଆ କୋଚ୍ । ଏଥିପାଇଁ ବିସିସିଆଇ କୋଚ୍ ଚୟନ ପକ୍ରିୟା ଆରମ୍ଭ କରିଦେଇଛି । ମେ ୨୭ ହେଉଛି ଆବେଦନର ଶେଷ ଦିନ । ଆଉ ଏହା ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି ଅନେଜ ଜଣାଶୁଣା ତଥା ଲୋକପ୍ରିୟ ଚେହେରା ।

  • ରେସରେ ସବୁଠୁ ଆଗରେ ଗମ୍ଭୀର
  • ବିସିସିଆଇର ପ୍ରଥମ ପସନ୍ଦ ଗୌତମ

୪୨ ବର୍ଷୀୟ ଗମ୍ଭୀର ବର୍ତମାନ କେକେଆର ଟିମର ମେଣ୍ଟର ଅଛନ୍ତି । ଗମ୍ଭୀରଙ୍କ ରଣନୀତିରେ ଦଳ ଚଳିତ ଆଇପିଏଲର ଫାଇନାଲରେ ପହଞ୍ଚିଛି । ଏଥିପାଇଁ ଟିମ ଇଣ୍ଡିଆ ମୁଖ୍ୟ କୋଚ ରେସରେ ଏଣିକି ଗମ୍ଭୀର ବିସିସିଆଇର ପ୍ରଥମ ପସନ୍ଦ ବୋଲି କୁହାଯାଉଛି ।

  • କୋଚ୍ ରେସରେ ହରଭଜନ!
  • ବୟାନ ପରେ ବଢ଼ିଲା ଚର୍ଚ୍ଚା

ଟିମର କୋଚ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ । ପୂର୍ବତନ ସ୍ପିନର ହରଭଜନ ସିଂ କହିଛନ୍ତି ଯଦି ତାଙ୍କୁ କୋଚ୍ ଦାୟିତ୍ୱ ମିଳେ ତେବେ ସେ ଏହାକୁ ଖୁସିର ସହ ଗ୍ରହଣ କରିବେ । ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗସ କୋଚ ଷ୍ଟିଫେନ୍ ଫ୍ଲେମିଂଙ୍କୁ ଯୋଗାଯୋଗ କରିଛି ବିସିସିଆଇ । ଫ୍ଲେମିଂଙ୍କ ଅନେକ ପ୍ରଶିକ୍ଷଣ ଅଭିଜ୍ଞତା ରହିଛି । ତାଙ୍କ କୋଚିଂରେ ୫ ଥର ଟାଇଟଲ ଜିତିଛି ଚେନ୍ନାଇ ।

ଏହାବ୍ୟତୀତ ସେ, ଆମେରିକାର ମେଜର କ୍ରିକେଟ୍ ଲିଗ, ଦକ୍ଷିଣ ଆଫ୍ରିକାର ଟେକ୍ସାସ୍ ସୁପର କିଙ୍ଗସ୍ ଓ ଜୋବର୍ଗ ସୁପର କିଙ୍ଗସର କୋଚ ଦାୟିତ୍ୱ ତୁଲାଇଛନ୍ତି । ଏଣୁ ଷ୍ଟିଫେନ କୋଚ୍ ରେସରେ ରହିଛନ୍ତି । ଏହି ରେସରେ ଲକ୍ଷ୍ନୌ ସୁପର ଜାଏଣ୍ଟସର କୋଚ୍ ଜଷ୍ଟିନ ଲାଙ୍ଗର, ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଗ୍ଲୋବାଲ ପରଫରମାନ୍ସ ମୁଖ୍ୟ ମାହେଲା ଜୟବର୍ଦ୍ଧନେ, ଗୁଜରାଟ ଟାଇଟନ୍ସ କୋଚ୍ ଆଶିଷ ନେହେରା ଓ ଏନସିଏ ହେଡ୍ ଭିଭିଏସ ଲକ୍ଷ୍ମଣ ରହିଛନ୍ତି । ତେବେ ଭାରତୀୟ ଟିମର ହେଡ୍ କୋଚ ପାଇଁ ଆବେଦନର ଶେଷ ତାରିଖ ରହିଛି ମେ ୨୭ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର କୋଚ ହେବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ । ରାହୁଲ ଦ୍ରାବିଡଙ୍କ ପରେ ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ଦାୟିିତ୍ୱରେ ରହିବେ ନୂଆ କୋଚ୍ ।