୨୬ ତାରିଖରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଏକାଠି ବାହାରିବ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ । ଜାଣନ୍ତୁ, କେମିତି ଜାଣିବେ ରେଜଲ୍ଟ?

122

କନକ ବ୍ୟୁରୋ: ସିବିଏସଇ ଭଳି ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ଗୋଟିଏ ଦିନରେ ପ୍ରକାଶ ପାଇବ । ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ ଏହି ନିଷ୍ପତ୍ତି ନେଇଛି ।

  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ ଘୋଷଣା
  • ସିବିଏସଇ ଢାଞ୍ଚାରେ ପ୍ରକାଶ ପାଇବ ପରୀକ୍ଷା ଫଳ

ବହୁ ପ୍ରତୀକ୍ଷିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ । ସିଏଚଏସଇ ପକ୍ଷରୁ ରେଜଲ୍ଟ ତାରିଖ ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ସିବିଏସଇ ଭଳି ଗୋଟିଏ ତାରିଖରେ ପ୍ରକାଶିତ ହେବ ସମସ୍ତ ବିଭାଗର ପରୀକ୍ଷା ଫଳ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ମେ ୨୬ ତାରିଖରେ ପ୍ରକାଶିତ ହେବ । ପିଲାଙ୍କ ସ୍ୱାର୍ଥକୁ ଆଖିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।

ସୂଚନାଯୋଗ୍ୟ ଯେ, ମେ ୨୬ରେ ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ କରାଯିବ । ପରୀକ୍ଷାର୍ଥୀମାନେ ସିଏଚଏସଇର ୱେବସାଇଟ୍ www.orissaresults.nic.in ଜରିଆରେ ପରୀକ୍ଷା ଫଳ ଜାଣିପାରିବେ । ଏହାଛଡା ଛାତ୍ରଛାତ୍ରୀ ସେମାନଙ୍କ ବିଦ୍ୟାଳୟର ଇସ୍ପେସ HS School e-space ଓ Digilocker ମାଧ୍ୟମରେ ମଧ୍ୟ ଫଳାଫଳ ପାଇପାରିବେ ।

ଚଳିତ ବର୍ଷ ଯୁକ୍ତ ଦୁଇରେ ୩ଲକ୍ଷ ୮୬ ହଜାର ୨୫୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେଥିମଧ୍ୟରୁ ରେଗୁଲାର ୩,୬୦,୧୯୮ ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀ ୨୬,୦୫୨ ଜଣ । କଳାରେ ୨,୩୭,୭୫୦ ଜଣ, ବିଜ୍ଞାନରେ ୧,୧୬,୬୨୦ ବାଣିଜ୍ୟରେ ୨୬,୦୮୯ ପିଲା ଓ ଧନ୍ଦାମୂଳକରେ ୫,୭୯୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।