ରାଜଧାନୀବାସୀଙ୍କ ଛାତି ଧଡଧଡ! ଆତଙ୍କ ଖେଳାଉଛନ୍ତି ସ୍ପ୍ରେ ମରା ଲୁଟେରା!

424

କନକ ବ୍ୟୁରୋ: ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା । ପୁଲିସ ଡାଳେ ଡାଳେ ଗଲେ ଲୁଟେରା ପତ୍ରେ ପତ୍ରେ ଯାଉଛନ୍ତି । ଲୋକଙ୍କ ଉପସ୍ଥିତିରେ ଲୁଟେରା ବୁଲାଉଛନ୍ତି କଳାକନା । ଭୁବନେଶ୍ୱର ଶାସ୍ତ୍ରୀ ନଗରରୁ ଏଭଳି ଘଟଣା ନଜରକୁ ଆସିଛି । ରାତିରେ ଶୋଇଥିବା ଅବସ୍ଥାରେ ଲୁଟେରା ମାନେ ବେଡରୁମରେ ପଶି ସ୍ପ୍ରେ କରି ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି ।

ଭୁବନେଶ୍ୱରରେ ପୁଣି ଲୁଟେରାଙ୍କ ଉତ୍ପାତ । ଏବେ ଆଉ ଖାଲି ଘର ନୁହେଁ, ଲୋକଙ୍କ ଉପସ୍ଥିତିରେ ଲୁଟେରା ବୁଲାଇଲେ କଳାକନା । ଶାସ୍ତ୍ରୀ ନଗର ଶନି ମନ୍ଦିର ନିକଟରେ ଥିବା ଏକ ଘର ଭିତରେ ପଶି ଆତଙ୍କ ଖେଳାଇଛନ୍ତି ଲୁଟେରା । ଜଣେ ଅଧ୍ୟାପକଙ୍କ ଘରେ ବିଳମ୍ବିତ ରାତିରେ ପଶି କରିଛନ୍ତି ଲୁଟପାଟ । ଅଧ୍ୟାପକ ଜଣକ ତାଙ୍କ ପରିବାର ସହ ଏହି ଘରେ ରୁହନ୍ତି । ରାତିରେ ଶୋଇଥିବା ଅବସ୍ଥାରେ ଲୁଟେରା ମାନେ ବେଡରୁମରେ ପଶିଥିଲେ । ସମସ୍ତଙ୍କୁ ଶୋଇବା ଦେଖି ପ୍ରଥମେ ସ୍ପ୍ରେ କରିଥିଲେ । ସମସ୍ତଙ୍କୁ ଅଚେତ କରି ଘରର ଆଲମିରା ତାଡିଥିଲେ । ଲକରରେ ଥିବା ୧୭ ଭରିର ସୁନା ଗହଣା, ଅଧାକିଲୋରୁ ଅଧିକ ରୁପା ଗହଣା ଓ ନଗଦ ୨୦ ହଜାର ଟଙ୍କା ନେଇ ଛୁ ମାରିଥିଲେ ।

ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ, ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ନିକଟରେ ଥିବା ସିସିଟିଭି ଫୁଟେଜରୁ ବହୁତ ତଥ୍ୟ ପୁଲିସକୁ ମିଳିଛି । ତିନି ଜଣ ମୁଖା ପିନ୍ଧା ଲୁଟେରାଙ୍କ ଭିଡିଓକୁ ନେଇ ଯାଂଚ ଚାଲିଛି । ତେବେ ଭିଡିଓରେ ଦୁଇ ଜଣ ମୁଖା ପିନ୍ଧିଥିବା ବେଳେ, ଅନ୍ୟ ଜଣେ ଅଭିଯୁକ୍ତ ମୁଖା ପିନ୍ଧି ନଥିବାରୁ ତାକୁ ଚିହ୍ନଟ କରାଯାଇଛି । ତେବେ ସେହି ଖୋଲାମୁହଁ ଦେଖା ଯାଉଥିବା ବ୍ୟକ୍ତି ଜଣକ ଅଭ୍ୟାସଗତ ଅପରାଧୀ ବୋଲି ପୁଲିସ ଅନୁମାନ କରୁଛି । ଏହି ଘଟଣା ପରେ, ନିଜକୁ ଘର ଭିତରେ ସୁରକ୍ଷିତ ମଣୁ ନଥିବା କହିଛନ୍ତି ଦିନେଶଙ୍କ ପତ୍ନୀ ।

ରାଜଧାନୀର ଗଳିକନ୍ଦିରେ ଲୁଟେରାଙ୍କ ଦୌରାତ୍ମ ଦିନକୁ ଦିନ ବଢିବାରେ ଲାଗିଛି । ପୁର୍ବରୁ ଖାଲି ପଡିଥିବା ଏକୁଟିଆ ଘର ଆଉ ଆପାର୍ଟମେଂଟରେ ପଶି ଲୁଟୁଥିଲେ । ଏବେ ଘର ଭିତରେ ଲୋକମାନେ ଥାଇ ମଧ୍ୟ ଲୁଟପାଟ ଘଟଣା ରାଜଧାନୀବାସୀଙ୍କ ଛାତି ଧଡ ଧଡ କରିବା ଆରମ୍ଭ କରି ଦେଇଛି ।