ରାଜନୀତିରେ ହିଂସାର ସ୍ଥାନ ନାହିଁ । ଘସିପୁରାରୁ ଭୟର ବାତାବରଣ ଦୂର କରିବା, ଗଣତନ୍ତ୍ର ପ୍ରତିଷ୍ଠା କରିବା : ସୌମ୍ୟରଞ୍ଜନ ପଟ୍ଟନାୟକ

105

କନକ ବ୍ୟୁରୋ: ଘସିପୁରାରେ ବାରମ୍ବାର ନିର୍ବାଚନୀ ହିଂସା ଦେଖାଯିବା ପରେ, ଘସିପୁରାରୁ ଆସିଛି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌ÷÷ମ୍ୟରଞ୍ଜନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା । ତାଙ୍କର ଏହି ଭିଡିଓରେ ସେ ଘସିପୁରାକୁ ଭୟର ବାତାବରଣରୁ ଦୂର କରିବାକୁ ଆହ୍ୱାନ ଦେବା ସହିତ ସେଠାରେ ଗୁଣ୍ଡାରାଜ ବଦଳରେ ପ୍ରକୃତ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ କହିଛନ୍ତି ।

ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ଭିଡିଓ ବାର୍ତ୍ତାରେ କହିଛନ୍ତି, ରାଜନୀତିରେ ହିଂସାର ସ୍ଥାନ ନାହିଁ । ଘସିପୁରାକୁ ହିଂସାମୁକ୍ତ କରିବା ପାଇଁ ସେ ଏହି ମୁକ୍ତିସଂଗ୍ରାମରେ ଯୋଗ ଦେଇଥିଲେ । ତେବେ ଏହି ମୁକ୍ତି ସଂଗ୍ରାମ ଏବେ ସାଧାରଣ ଜନତାଙ୍କ ଧର୍ମଯୁଦ୍ଧରେ ପରିଣତ ହେଇଛି । ତେଣୁ ଘସିପୁରାରୁ ଭୟର ବାତାବରଣକୁ ଦୂର କରିବା, ଗୁଣ୍ଡାରାଜ ବଦଳରେ ପ୍ରକୃତ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ଆହ୍ୱାନ ଦେଇଛନ୍ତି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ, ଘସିପୁରାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ବିଜେଡି ପ୍ରାର୍ଥୀ ବଦ୍ରିପାତ୍ରଙ୍କ ସମର୍ଥକମାନେ ଖୋଲାଖୋଲି ଗୁଣ୍ଡାଗର୍ଦ୍ଦି କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଅନ୍ୟପଟେ ସୌମ୍ୟରଞ୍ଜନଙ୍କ ସମର୍ଥକଙ୍କୁ ପୋଲିସ ଜାଣିଶୁଣି ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲା, ଯାହା ବିରୋଧରେ ଧାରଣାରେ ବସିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ପୋଲିସ୍ ପକ୍ଷପାତିତା କରୁଥିବା ଅଭିଯୋଗରେ ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଶହ ଶହ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ ସୌମ୍ୟରଞ୍ଜନ ।