ସ୍ୱାତୀ ମାଲିୱାଲ ମାମଲାରେ ନୂଆ ମୋଡ । ସୋସିଆଲ ମିଡିଆ ପୋଷ୍ଟ କରି ଆପ ଉପରେ ସାଂସଦ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

ବ୍ୟକ୍ତିଗତ ଫଟୋ ଲିକ୍ କରି ମନୋବଳ ଭାଙ୍ଗିବାକୁ ଦଳ ଯୋଜନା କରୁଥିବା ପୋଷ୍ଟ

218

କନକ ବ୍ୟୁରୋ: ପ୍ରଥମେ କେଜ୍ରିୱାଲଙ୍କ ସହଯୋଗୀ ଉପରେ ମାରପିଟର ଅଭିଯୋଗ । ଆଉ ଏବେ ଆପ ଉପରେ ନୂଆ ଅଭିଯୋଗ ଆଣିଛନ୍ତି ସ୍ୱାତୀ ମାଲିୱାଲ । ମୁହଁ ବନ୍ଦ ରଖିବାକୁ ଚାପ ପକାଯାଉଛି. ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଆପ୍ ସାଂସଦ ।

ସ୍ୱାତୀ ମାଲିୱାଲଙ୍କ ନୂଆ ଅଭିଯୋଗ

  • ଆପ କରୁଛି ବଡ଼ ଷଡ଼ଯନ୍ତ୍ର
  • ବ୍ଲାକମେଲିଂ ଆଶଙ୍କା
  • ଫଟୋ ଲିକ୍ ପାଇଁ ଯୋଜନା

ଆମ ଆଦମୀ ପାର୍ଟିର ଉପରେ ସଙ୍ଗୀନ ଓ ନୂଆ ଅଭିଯୋଗ ଆଣିଛନ୍ତି ସ୍ୱାତୀ ମାଲିୱାଲ । ସୋସିଆଲ ମିଡିଆ ଏକ୍ସରେ ଏକ ଲେଖା ପୋଷ୍ଟ କରି ଦଳ ତାଙ୍କ ବିରୋଧରେ ବଡ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି । ମାମଲାରେ ମୁହଁ ବନ୍ଦ ନକଲେ ତାଙ୍କ ବ୍ୟକ୍ତିଗତ ଫଟୋ ଲିକ୍ ପାଇଁ ଯୋଜନା ଚାଲିଛି । ଦଳର ଜଣେ ନେତା ଫୋନ କରି ତାଙ୍କୁ ଏହି ବାବଦରେ ସୂଚନା ଦେଇଥିବା ନିଜ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି । ଜବାବରେ ସ୍ୱାତୀ କହିଛନ୍ତି ମୋ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ନିଜ ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବି । ଅନ୍ୟପଟେ ଘଟଣାକୁ ନେଇ ଜବାବ ରଖିଛି ଆମ ଆଦମୀ ପାର୍ଟି ।

ପୂରା ଘଟଣା ଏବେ ଦଳ ପାଇଁ ଅଡୁଆ ସାଜିଛି । ନିର୍ବାଚନ ଭିତରେ ଆପ ବିରୋଧରେ ବିଜେପିକୁ ବ୍ରହ୍ମସ୍ତ୍ରୋ ମିଳିଛି । ସ୍ୱାତୀଙ୍କ ନୂଆ ଅଭିଯୋଗକୁ ଆଧାର କରି ଆପକୁ ବାରମ୍ବାର ଆକ୍ରମଣ କରୁଛି ବିଜେପି । ସବୁ କିଛି ଜାଣି କ’ଣ ପାଇଁ କେଜ୍ରିୱାଲ ଚୁପ ଅଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।

ସେପଟେ ପୂରା ମାମଲାକୁ ନେଇ ଦିଲ୍ଲୀ ପୁଲିସ ଦୁଇଟି ବଡ ସୂଚନା ଦେଇଛି । ସ୍ୱାତୀଙ୍କ ଉପରେ ଇସ୍ତଫା ଦେବାକୁ ଚାପ ପକାଉଥିଲା ଆପ । ଆପତ୍ତି ପ୍ରକାଶ କରି ସ୍ୱାତୀ ମେ ୧୩ରେ କେଜ୍ରିୱାଲଙ୍କ ବାସଭବନକୁ ଯାଇଥିଲେ ଓ ସେଠାରେ ବୈଭବଙ୍କ ସହ ଯୁକ୍ତିତର୍କ ମାରପିଟ ହୋଇଥିଲା । ଅନ୍ୟପଟେ ପ୍ରମାଣ ନଷ୍ଟ କରି ବୈଭବ ମୁମ୍ବାଇରେ ନିଜ ଫୋନକୁ ଫର୍ମାଟ କରିଛନ୍ତି । ମେ ୧୩ ପରେ ବୈଭବ ଦିଲ୍ଲୀରୁ ପଞ୍ଜାବ, ମୁମ୍ବାଇ ଯିବା ପରେ ଉତ୍ତରପ୍ରଦେଶରେ ପହଞ୍ଚିଥିଲେ ।