କନକ ବ୍ୟୁରୋ: କରୋନା ସ୍ଥିତିକୁ ନେଇ କେନ୍ଦ୍ର ଓ ରାଜ୍ୟରେ ଘନ ଘନ ବୈଠକ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଏଥିପାଇଁ କିଭଳି ସତର୍କ ରହିବାକୁ ପଡ଼ିବ ସେନେଇ ଆଲୋଚନା ହୋଇପାରେ । କୋଭିଡ଼ ସ୍ଥିତି ନେଇ ହେବାକୁ ଥିବା ଏହି ପ୍ରସ୍ତୁତି ବୈଠକ ଅପରାହ୍ନ ୩ଟାରେ ହେବା ନେଇ ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ବୈଠକରେ କରୋନା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରି ନୂଆ ଗାଇଡ଼ଲାଇନ୍ ଜାରି କରିପାରନ୍ତି କେନ୍ଦ୍ର ସରକାର । ଗତକାଲି ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ । ବୈଠକ ପରେ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ ନିୟମ ପାଳନ କରିବାକୁ ସେ କହିଛନ୍ତି । ଜିନୋମ ସ୍ୱିକେନ୍ସ ଓ ଟେଷ୍ଟିଂ ବଢାଇବା ସହ ବିମାନବନ୍ଦରରେ ସର୍ଭେଲାନ୍ସ ବଢାଇବାକୁ ସେ କହିଛନ୍ତି । ବୃଦ୍ଧ ଓ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି । ଅକ୍ସିଜେନ ସିଲିଣ୍ଡର, ହସପିଟାଲ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ବି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପର୍ବପର୍ବାଣୀରେ କୋଭିଡ ନିୟମ ପାଳନ କରାଯାଉ । ତେଣୁ ନୂଆବର୍ଷ ସମୟରେ କୋଭିଡ କଟକଣା ଲାଗୁ ହେବାର ଆଶଙ୍କା କରାଯାଉଛି ।