କରୋନା ସଂକ୍ରମଣ ନେଇ ଆଇଆଇଟି କାନପୁରର ବଡ ଦାବି । ୯୮ ପ୍ରତିଶତ ଭାରତୀୟ ଲୋକଙ୍କ ପାଖରେ ରହିଛି ପ୍ରାକୃତିକ ପ୍ରତିରୋଧକ ଶକ୍ତି ।

74

କନକ ବ୍ୟୁରୋ: ଚୀନରେ କରୋନା ବିସ୍ଫୋରଣର ଖବର ପରେ ଭାରତୀୟଙ୍କ ମନରେ ପୁଣି ମହାମାରୀ ଭୟ ଫେରିଛି । ଲୋକେ କରୋନା ସଂକ୍ରମଣକୁ ନେଇ ଆଶଙ୍କାରେ ରହିଛନ୍ତି । ଦେଶର ବହୁ ରାଜ୍ୟ ଲୋକଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଅପିଲ କରିଛନ୍ତି । ଏହାରି ଭିତରେ ଆଇଆଇଟି କାନପୁର ଦେଶରେ ସଂକ୍ରମଣକୁ ନେଇ ବଡ ଦାବି କରିଛି । ଆଇଆଇଟି କାନପୁର ମାଥମେଟିକ୍ସ ମୋଡେଲରେ କହିଛି, ଦେଶର ୯୮ପ୍ରତିଶତ ଲୋକଙ୍କ ପାଖରେ କରୋନା ମୁକାବିଲା ପାଇଁ ପ୍ରାକୃତିକ ପ୍ରତିରୋଧକ ଶକ୍ତି ରହିଛି । ତେଣୁ ଭୟ କରିବାର କୌଣସି କାରଣ ନାହିଁ ।

ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି, ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା କିଛି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇପାରନ୍ତି, ଆଉ ସେଇଥି ପାଇଁ କରୋନାର ଛୋଟ ଲହର ଭାରତରେ ଦେଖାଦେଇପାରେ । କିନ୍ତୁ ଦେଶର ୯୮ପ୍ରତିଶତ ଲୋକଙ୍କ ପାଖରେ ପ୍ରାକୃତିକ ପ୍ରତିରୋଧକ ଶକ୍ତି ବିକଶିତ ହୋଇଥିବାରୁ ବିଶେଷ କିଛି ପ୍ରଭାବ ପଡିବ ନାହିଁ ।
ଚୀନ, ଜାପାନ, ଦକ୍ଷିଣ କୋରିଆ, ଆମେରିକାରେ ବିଏଫ.୭ ଭୂତାଣୁ ଯୋଗୁଁ ସଂକ୍ରମଣ ବଢୁଛି । ହେଲେ ଭାରତରେ ହର୍ଡ ଇମ୍ୟୁନିଟି ଯୋଗୁଁ ସେତେ ପ୍ରଭାବ ପକାଇ ପାରିବ ନାହିଁ ବୋଲି କହୁଛନ୍ତି ବିଶେଷଜ୍ଞ । ବର୍ତମାନ ସୁଦ୍ଧାର ଭାରତରେ ନୂଆ ପ୍ରଜାତିର ଭୂତାଣୁରେ ମାତ୍ର ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁଜୁରାଟରେ ୨ ଜଣ ଏବଂ ଓଡିଶାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ କେହି ବିଏଫ.୭ ଭୁତାଣୁରେ ସଂକ୍ରମିତ ହୋଇଥିବା ଖବର ମିଳିନାହିଁ ।